ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ! ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବକ

70

କନକ ବ୍ୟୁରୋ: ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଖବର ସାମ୍ନାକୁ ଆସୁଛି । ଏହାକୁ ରୋକିବାକୁ ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

  • ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ!
  • ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବକ

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ତେବେ ଜଗନ୍ନାଥ ଟେମ୍ପୁଲ ପୁଲିସ ଓ ପୁରୀ ପୁଲିସ ଅଣହିନ୍ଦୁଙ୍କୁ ଚିହ୍ନଟ କରି ପାରୁନାହାନ୍ତି । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ ଲଗାଇ ପାରୁନାହାନ୍ତି । ଫଳରେ ଶ୍ରୀମନ୍ଦିରର ନିଷିଦ୍ଧ ବ୍ୟବସ୍ଥା କ୍ଷୂର୍ଣ୍ଣ ହେଉଛି । ଶ୍ରୀଜିଉଙ୍କ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେଉଛି । ତେଣୁ ଅଣହିନ୍ଦୁଙ୍କୁ ରୋକିବା ପାଇଁ ସିଂହଦ୍ୱାରରେ ପ୍ରତିହାରୀ ସେବକଙ୍କୁ ନିୟୋଜିତ କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପଣା ସଂକ୍ରାନ୍ତି ଠାରୁ ସକାଳେ ଓ ସଂଧ୍ୟାରେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ୪ ଦ୍ୱାରରେ ପ୍ରତିହାରୀ ସେବାୟତଙ୍କୁ ନିୟୋଜିତ କରାଯିବ ।

ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦ୍ୱାରରେ ମୁତୟନ ରହୁଥିଲେ । ଏବେ କିନ୍ତୁ ସେହି ବ୍ୟବସ୍ଥା ବନ୍ଦ ରହିଛି ।

  • ବ୍ରିଟିଶ ଶାସନ ସମୟରେ ପ୍ରତିହାରୀ ସେବାକୁ ସଙ୍କୁଚିତ କରାଯାଇଥିଲା
  • ୧୮୫୬ରେ ଶ୍ରୀମନ୍ଦିର ଜଗୁଥିବା ପ୍ରତିହାରୀ ସେବାୟତଙ୍କୁ ହଟାଇ ଜେଟିପି ନିୟୋଜିତ ହୋଇଥିଲା
  • ୧୮୫୮ରେ ପ୍ରତିହାରୀ ସେବାୟତଙ୍କ କାମ ପୁଲିସକୁ ଦିଆଯାଇଥିଲା

ଏବେ ପୁଣି ପ୍ରତିହାରୀ ସେବାକୁ ପ୍ରଚଳନ କରିବାକୁ ନିଷ୍ପତି ହୋଇଛି । ପ୍ରତିହାରୀ ସେବାୟତମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସଂଧ୍ୟାଧୂପ ପରେ ସେଠାରେ ମୁତୟନ ରହିବେ । ଏପରିକି ଶ୍ରୀମନ୍ଦିର ସିଂହଦ୍ୱାର ପହଡ କାମ ମଧ୍ୟ ପ୍ରତିହାରୀ ସେବାୟତଙ୍କ ଉପସ୍ଥିତିରେ କରାଯିବ । ସୂଚନାଯୋଗ୍ୟ ଯେ, ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ଆଉ ଏବେ ପ୍ରତିହାରୀ ସେବାୟତଙ୍କୁ ଅଣହିନ୍ଦୁଙ୍କୁ ଜଗିବାର ଦାୟିତ୍ୱ ମିଳିଛି ।