କନକ ବ୍ୟୁରୋ : ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ । ରତ୍ନବେଦୀରୁ ଓହ୍ଲାଇଆସି ସ୍ନାନବେଦୀରେ ବିଜେ କରିଥିଲେ ଜଗତର ନାଥ । ୧୦୮ ଗରା ସୁବାସିତ ଜଳରେ ହୋଇଛି ଜଳାଭିଷେକ । ଏହାପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳା ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୁଏ । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାନ୍ତି । ହେଲେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରିଛି କରୋନା ମହାମାରୀ । ଗତବର୍ଷ ଭଳି ଏବର୍ଷ ମଧ୍ୟ ଖାଲି ପଡିଥିଲା ବଡ଼ଦାଣ୍ଡ । ବିନା ଭକ୍ତରେ ଏବଂ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ ଉତ୍ସବ ।
ସ୍ନାନ ମଣ୍ଡପରେ ଶ୍ରୀଜିଉ, ହେଲେ ଭକ୍ତ ଶୂନ୍ୟ ବଡଦାଣ୍ଡ । ବିନା ଭକ୍ତରେ ମହାପ୍ରଭୁଙ୍କ ମହାସ୍ନାନ । ମଧ୍ୟ ରାତିରୁ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା, ଭୋର ୪ଟା ସୁଦ୍ଧା ବଡ ଭାଇ ବଳଭଦ୍ର, ସାନ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନବେଦିରୁ ଓହ୍ଲାଇ ଆସି, ସ୍ନାନବେଦୀରେ ବିଜେ କରିଥିଲେ ଜଗତର ନାଥ । ଗତବର୍ଷ ଭଳି ଏଥର ମଧ୍ୟ ବଡଦାଣ୍ଡରେ ଭକ୍ତଙ୍କ ଗହଳି ନାହିଁ, କି ହରିବୋଲ ହୁଳହୁଳିରେ କମ୍ପି ଉଠିନି ପରିସର, ହେଲେ ଭାବବିନୋଦିଆ ଠାକୁରଙ୍କ ଯୋଗୁଁ ଭାବମୟ ହୋଇ ଉଠିଛି ପରିବେଶ । କରୋନା କଟକଣା ଯୋଗୁଁ କେବଳ ସେବାୟତଙ୍କୁ ନେଇ ବଡ ଠାକୁରଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଆଉ ଘୋଷଯାତ୍ରାର ଏହି ଆଦ୍ୟପର୍ବକୁ ଟିଭି ପରଦାରେ ଦେଖିବାର ସୌଭାଗ୍ୟ ପାଇଛନ୍ତି ଭକ୍ତ ।
ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି । ପୂଜାପଣ୍ଡା ସେବକଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ପୂଜା କରିବା ପରେ ମହାସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ସ୍ନାନ କରାଯାଇଛି । ଠାକୁରଙ୍କ ସ୍ନାନ ପାଇଁ ସ୍ନାନବେଦୀରେ ୧୦୮ କଳସ ସୁବାସିତ ଜଳ ଯୋଗାଇ ଦେଇଥିଲେ ଗରାବଡୁ ସେବାୟତ । ପରେ ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିଲା । ସେହିଭଳି ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଛି । ସକାଳ ୯ଟା ୧୫ରେ ସ୍ନାନନୀତି ଅନୁଷ୍ଠିତ ହୋଇଥିଲା । କରୋନା ଯୋଗୁଁ ଗତବର୍ଷ ଭଳି ଛେରାପହଁରା ନୀତି କରିବାକୁ ଗଜପତି ମହାରାଜ ଆସିନଥିଲେ, ମୁଦିରସ୍ତ ଏହି ନୀତି ସଂପାଦନ କରିଥିଲେ ।
ସ୍ନାନ ମଣ୍ଡପରେ ଗଜପତିଙ୍କ ପ୍ରତିନିଧ ମୁଦିରସ୍ତଙ୍କ ଦ୍ୱାରା ଛେରାପହଁରା ଓ ଚାମର ସେବା ପରେ ଠାକୁରମାନଙ୍କୁ ଗଜାନନ ବେଶ କରାଯାଇଥିଲା । ବିଭିନ୍ନ ପ୍ରକାର ସୁଗନ୍ଧଯୁକ୍ତ ଫୁଲ ଓ ତୁଳସୀମାଳାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ବେଶ କରାଯାଇଛି । କାଳିଆ ଠାକୁରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ହାତୀବେଶ ଆସିଥିବା ବେଳେ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ରାଘବଦାସ ମଠରୁ ଆସିଥାଏ ହାତୀବେଶ । ସିଂହାରୀ ଓ ଦଇତାପତି ସେବାୟତଙ୍କ ସହାୟତାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଗଜାନନ ବେଶ କରାଯାଇଛି । ଦିନ ପ୍ରାୟ ୧୧ଟା ୨୦ରେ ହାତୀ ବେଶରେ ବିଭୂଷିତ ହୋଇଥିଲେ ଚାରି ଠାକୁର । କୁହାଯାଏ, ଜଗନ୍ନାଥଙ୍କ ପରମଭକ୍ତ ଗଣପତି ଭଟ୍ଟଙ୍କ ଆନ୍ତରିକ ଇଚ୍ଛାରେ ପ୍ରଭୁ ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେଇଆସୁଛନ୍ତି ।
ସ୍ନାନ ଯାତ୍ରା ପରେ ଆଉ ରତ୍ନ ବେଦୀକୁ ଫେରନ୍ତି ନାହିଁ ତିନି ଠାକୁର । ୧୫ ଦିନିଆ ଅଣସର ନୀତି ପାଇଁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ଯାଇଛନ୍ତି ମହାପ୍ରଭୁ । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପୀଡିତ ହୁଅନ୍ତି ପ୍ରଭୁ ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ଓ ବିଭିନ୍ନ ଉପଚାର ପରେ ଜ୍ୱରରୁ ଆରୋଗ୍ୟ ଲାଭ କରନ୍ତି ମହାପ୍ରଭୁ । ମହାପ୍ରଭୁ ସୁସ୍ଥ ହେବାପରେ ଅନୁଷ୍ଠିତ ହେବ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ଏବଂ ଏହା ପରଦିନ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।