ଅଭିନେତା କି ମଡେଲ ନୁହେଁ, ଭାଇରାଲ ହେଉଛନ୍ତି ବଡ ଠାକୁରଙ୍କ ବାହୁବଳୀ ସେବାୟତ । ଜାଣନ୍ତୁ କିଏ ଏହି ସେବାୟତ?

10,866

କନକ ବ୍ୟୁରୋ: ଉପରୋକ୍ତ ଫଟୋଟି କୌଣସି ସିନେମାର ପୋଷ୍ଟର ନୁହେଁ କିମ୍ବା ଏହି ଫଟୋରେ ଥିବା ବ୍ୟକ୍ତି ଜଣକ କୌଣସି ଚଳଚ୍ଚିତ୍ର ଅଭିନେତା କିମ୍ବା ମଡେଲ ନୁହଁନ୍ତି । କିନ୍ତୁ ରଥଯାତ୍ରା ପରଠାରୁ ଏହି ବ୍ୟକ୍ତିଙ୍କର ଫଟୋ ଲଗାତାର ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉପରୋକ୍ତ ପୋଷ୍ଟରରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । କିଏ ଏହି ବ୍ୟକ୍ତି ଯିଏ ରାତାରାତି ସୋସିଆଲ ମିଡ଼ିଆର ସେନସେସନ ପାଲଟିଛନ୍ତି । ଏହି ବ୍ୟକ୍ତିଙ୍କର ପରିଚୟ ପୂରା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ସୋସିଆଲ ମିଡ଼ିଆର ସେନସେସନ ପାଲଟିଥିବା ଏହି ବାହୁବଳୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଗାର ଜଗୁଆଳି ।

ଅନୀଲ ଗୋଚ୍ଛିକାର । ଜଗନ୍ନାଥଙ୍କ ଗୋଚ୍ଛିକାର ସେବାୟତଙ୍କ ମଧ୍ୟରୁ ଜଣେ । କିନ୍ତୁ ବାହୁବଳୀ ଚେହେରା ପାଇଁ ଅନୀଲ ଏବେ ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଖବର ଅନୁଯାୟୀ, ଏହିଭଳି କିଛି ବାହୁବଳୀ ସେବାୟତ ମାନେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ପହଣ୍ଡିରେ ରଥ ପର୍ଯ୍ୟନ୍ତ ଆଣିଥାନ୍ତି । ଏହାଛଡା ସ୍ନାନପୂର୍ଣ୍ଣିମା ଓ ଅଣସର ସମୟରେ ମଧ୍ୟ ଗୁପ୍ତ ନୀତି ଏହି ଗୋଚ୍ଛିକାର ସେବାୟତ ମାନେ କରିଥାନ୍ତି । ଏମାନେ ମହାପ୍ରଭୁଙ୍କୁ ନିଜର ପରିବାରର ସଦସ୍ୟ ବୋଲି କହିଥାନ୍ତି । ଅନ୍ୟ କିଛି ଲୋକଙ୍କ କହିବା ଅନୁଯାୟୀ, ଅନୀଲ ସେହି ପରିବାରରୁ ଆସିଛନ୍ତି ଯେଉଁମାନଙ୍କୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଜପତି ନିଯୁକ୍ତି ଦେଇଥିଲେ । ଯେତେବେଳେ ମୁସଲିମ ରାଜା ମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ ସେହି ସମୟରେ ଏହି ସେବକ ମାନେ ମହାପ୍ରଭୁଙ୍କୁ ସୁରକ୍ଷା ଦେଉଥିଲେ ।

ତେବେ ଅନୀଲଙ୍କ ପରିଚୟ କେବଳ ଜଗନ୍ନାଥଙ୍କ ସେବକ ଭାବେ ସୀମିତ ହୋଇ ରହିନାହିଁ । ଅନୀଲ ପେଶାରେ ଓକିଲ ହୋଇଥିବା ବେଳେ ନିଶା କିନ୍ତୁ ତାଙ୍କର ବଡି ବିଲ୍ଡିଂ । ଏହି ବଡି ବିଲ୍ଡିଂ ମାଧ୍ୟମରେ ରାଜ୍ୟ ଓ ଦେଶ ପାଇଁ ଅନେକ ମେଡାଲ ଜିତିଛନ୍ତି ଅନୀଲ । ୨୦୧୨ରେ ମିଷ୍ଟର ଓଡ଼ିଶା, ୨୦୧୬ରେ ମିଷ୍ଟର ଇଣ୍ଟରନ୍ୟାସନାଲ ଇଣ୍ଡିଆର ଟ୍ରଫି ହାସଲ କରିଛନ୍ତି ଅନୀଲ । ସର୍ବଭାରତୀୟ ସ୍ତରରେ ରାଜ୍ୟକୁ ଗର୍ବିତ କରିଥିଲେ ମଧ୍ୟ ଅନୀଲଙ୍କ ମନରେ ଅନେକ କ୍ଷୋଭ । ରାଜ୍ୟ ପାଇଁ ଟ୍ରଫି ଜିତିଥିଲେ ମଧ୍ୟ ଏଯାଏଁ ତାଙ୍କୁ ସରକାରୀସ୍ତରରେ ନା ମିଳିଛି ଶୁଭେଚ୍ଛା ନା ସହାୟତା । ନିଜ ଦମ୍ଭ ବଳରେ ଏତେ ବାଟ ଆସିପାରିଛନ୍ତି ଅନୀଲ । ଆଉ ଏବେ ବିଶ୍ୱ ଚାମ୍ପିୟନସିପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଅନୀଲ ।