ଟଙ୍କା ପାଇଁ ବିଳମ୍ବ ହେଉନି ଟିକା ଯୋଗାଣ : ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଚର୍ଚ୍ଚାକୁ କରାଗଲା ଖଣ୍ଡନ; ଅଦାର ପୁନାୱାଲା କହିଲେ, ସୋମବାରକୁ ସ୍ୱତନ୍ତ୍ର ବିମାନ ଯୋଗେ ସାରାଦେଶକୁ ଯିବ ଟିକା

134

କନକ ବ୍ୟୁରୋ : ପୁନେର ସେରମ୍ ଇନଷ୍ଟିଚୁଟରୁ ଟିକା ପରିବହନକୁ ନେଇ ସେରମ ପକ୍ଷରୁ ଆସିଲା ବଡ ସୂଚନା । ଦେଶର ବିଭିନ୍ନ ସ୍ଥାନକୁ ଟିକା ପରିବହନ ପାଇଁ ଲାଗିବ ଆହୁରି ୪୮ ଘଂଟା । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଆଦାର ପୁନାୱାଲା । ଏହା ସହିତ ଆଦାର ପୁନାୱାଲା ସ୍ପଷ୍ଟ କରିଛନ୍ତି , ଯେ ଟଙ୍କା ପାଇଁ ଟିକା ପରିବହନ ବିଳମ୍ୱ ହେଉନାହିଁ । ସୋମବାର ଆଡକୁ ପ୍ରାୟ ୧୫୦ ଟନ୍ କାର୍ଗୋ ଜରିଆରେ ଟିକା ପରିବହନ ହେବ ।

ପୂର୍ବରୁ ସୂଚନା ରହିଥିଲା ଗୁରୁବାର ପୁଣେରୁ ବିମାନ ଯୋଗେ ଟିକା ପରିବହନ ହେବ । ଏହା ପରେ ଶୁକ୍ରବାର ପରିବହନ ହେବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟରେ ସେରମ୍ ଇନଷ୍ଟିଚୁଟ୍ ମୁଖ୍ୟ ସୂଚନା ଦେଇଛନ୍ତି ସୋମବାର ଆଡକୁ ପୁଣେରୁ ଟିକା ପରିବହନ ହେବ । ସେପଟେ ପୁଣେ ବିମାନ ବନ୍ଦର କର୍ତୃପକ୍ଷ କରୋନା ଟିକା ପରିବହନ ପାଇଁ ପୁରା ପ୍ରସ୍ତୁତ ଥିବା ଜଣାଇଛନ୍ତି । ତେବେ ଟିକା ପରିବହନ ଆଗରୁ ବିଦ୍ଧିବଦ୍ଧ ଭାବେ ସରକାରଙ୍କ ସହିତ ଟିକାର ଦାମକୁ ନେଇ କଥାବାର୍ତା ପରେ ଟିକା ପରିବହନ କରାଯିବ ବୋଲି ସେରମ୍ ସୂତ୍ରରୁ ଜଣାପଡିଛି ।

ସେରମ୍ ବର୍ତମାନ୍ ଭାରତ ସରକାରଙ୍କ ପାଇଁ ପ୍ରତି ଡୋଜ୍ ୨୦୦ ଟଙ୍କା ଧାର୍ଯ୍ୟ କରିଛି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ୧୦୦ ମିଲିୟନ୍ ଟିକା ମଗାଇବେ । ସେଥିପାଇଁ କେନ୍ଦ୍ର ସରକାର ଟିକା ଦରରେ ଆଉ କିଛିଟା କମ୍ କରିବାକୁ ଚାହୁଁଛନ୍ତି । ବର୍ତମାନ ପୁଣେର ମଂଜରୀ ପ୍ଲାଂଟରେ ସେରମ୍ ଇନଷ୍ଟିଚୁଟ୍ ତିଆରି କରିଥିବା ୫୦ ମିଲିୟନ୍ ଟିକା ମହଜୁଦ୍ ରହିଛି । ସେରମ୍ ପକ୍ଷରୁ ଶୀତଳଭଣ୍ଡାର ବ୍ୟବସ୍ଥା ଥିବା ଟ୍ରକ୍ ଟିକା ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି ।