ସିରମ ଇନଷ୍ଟିଚ୍ୟୁଟ୍ ଆଣିବ କରୋନା ଟିକା । ଆସନ୍ତା ମାସରୁ ପିଲାଙ୍କ ପାଇଁ ଟିକା ପରୀକ୍ଷଣ, ୯୨୦ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଯୋଜନା ।

183

କନକ ବ୍ୟୁରୋ : ଆସନ୍ତା ମାସରୁ ପିଲାଙ୍କ ପାଇଁ ଟିକା ପରୀକ୍ଷଣ କରିବ ସିରମ ଇନଷ୍ଟିଚ୍ୟୁଟ୍ । କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ମାସରୁ କରାଯିବ । ମୋଟ୍ ୯୨୦ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଯୋଜନା ରହିଛି । ୧୨ରୁ ୧୭ ବର୍ଷ ବୟସର ୪୬୦ ପିଲା ଓ ୨ରୁ ୧୧ ବର୍ଷ ବୟସର ୪୬୦ ପିଲାଙ୍କ ଉପରେ ପରୀକ୍ଷଣ କରାଯିବାର ଅଛି ।

ଆମେରିକାର ବାୟୋଟେକ୍ନୋଲୋଜି ଫାର୍ମ ପିଲାଙ୍କ ପାଇଁ ନୋଭାଭାକ୍ସ ନାମରେ ଟିକା ତିଆରି କରିଛି । ଏହାକୁ ଭାରତରେ କୋଭାଭାକ୍ସ ନାମରେ ବ୍ରାଣ୍ଡିଂ କରାଯାଉଛି । ମୋଟ୍ ୧୦ଟି ଜାଗାରେ ଏହି ପରୀକ୍ଷଣ କରାଯିବାର ଅଛି । ଟାଇମ୍ସ ଅଫ୍ ଇଣ୍ଡିଆକୁ ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ତେବେ ଦେଶର ଔଷଧ ନିୟନ୍ତ୍ରକ ସଂସ୍ଥା, ଡିଜିସିଆଇ ପାଖରୁ ଅନୁମତି ପରେ ଏହି ପରୀକ୍ଷଣ କରାଯିବ ।

ଚଳିତବର୍ଷ ଶେଷ ସୁଦ୍ଧା ପିଲାଙ୍କ ପାଇଁ ଟିକା ବଜାରକୁ ଛାଡ଼ିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚ୍ୟୁଟ୍ । ତେବେ ପିଲାଙ୍କ ପାଇଁ ପରୀକ୍ଷଣ କରାଯିବାରେ କୋଭାଭାକ୍ସ ପ୍ରଥମ ଟିକା ନୁହେଁ । ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ମଧ୍ୟ ପିଲାଙ୍କ ପାଇଁ ଟିକା ଉପରେ କାମ କରୁଛି । ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କୋଭାକସିନ ଟିକାର ପରୀକ୍ଷଣ କରୁଛି ଭାରତ ବାୟୋଟେକ । ଏହାସହ ପିଲାଙ୍କ ପାଇଁ ନାକରେ ପକାଇ ହେଲା ଭଳି ଟିକା ଉପରେ କାମ କରୁଛି କମ୍ପାନୀ । ଅହମଦାବାଦସ୍ଥିତ ଜାଇଡସ୍ କାଡିଲା ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଏକ ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ରହିଛି ଜାଇକୋ-ଡି । ସେପଟେ ଆମେରିକାରେ ଫାଇଜରର ଟିକାକୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବହାର ଲାଗି ଅନୁମତି ମିଳିଛି ।