ସେରମ୍ ଇନଷ୍ଟିଚ୍ୟୁଟର ବଡ଼ ଦାବି । କୋଭିସିଲ୍ଡ ଟୀକା ସୁରକ୍ଷିତ ଏବଂ ପ୍ରତିରୋଧକଶକ୍ତି ଯୁକ୍ତ ।

145
କନକ ବ୍ୟୁରୋ: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କହିଛି, ଏହାଦ୍ୱାରା ପ୍ରସ୍ତୁତ ଟିକା-କୋଭିଡସିଲଡ ସୁରକ୍ଷିତ ଏବଂ ପ୍ରତିରୋଧଶକ୍ତି ଯୁକ୍ତ । ଏଥିସହିତ ସେରମ ପକ୍ଷରୁ ଆହୁରି କୁହାଯାଇଛି, ଜଣେ ଭଲ୍ୟୁଂଟରଙ୍କ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସହିତ ଟିକାର କୌଣସି ସମ୍ପର୍କ ନାହିଁ । ଅନ୍ୟପକ୍ଷରେ ସେରମ ଇନଷ୍ଟିଚ୍ୟୁଟ ଏବଂ ଭଲ୍ୟୁଂଟରଙ୍କ ମଧ୍ୟରେ ଏବେ ଜୋରଦାର ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ଭଲ୍ୟୁଂଟରଙ୍କ ଅଭିଯୋଗ ହେଲା, ତାଙ୍କ ଠାରେ ଟିକା  ପରୀକ୍ଷଣ ପରେ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
ଟିକାର ଯେତେବେଳେ ମାନବ ପରୀକ୍ଷଣ ହେଉଛି ସେତେବେଳେ ସଫଳତାର କଥା ଯେତିକି ଆସୁଛି ପାଶ୍ୱର୍ ପ୍ରତ୍ରିକ୍ରିୟାର କଥା ମଧ୍ୟ ସାମନାକୁ ଆସୁଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଏହାରି ଭିତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି, କୋଭିଡ-୧୯ର ମୁକାବିଲା ପାଇଁ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭିସିଲଡ ‘ସେଫ ଏବଂ ଇମ୍ୟୁନୋ ଜେନିକ୍’ ଅର୍ଥାତ ସୁରକ୍ଷିତ ଏବଂ ପ୍ରତିରୋଧଶକ୍ତି ଯୁକ୍ତ ।
ଏବେ ଭାରତରେ ଏହି ଟିକାର ପରୀକ୍ଷଣ କରୁଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । କମ୍ପାନି ପକ୍ଷରୁ ଏହା ମଧ୍ୟ କୁହାଯାଇଛି, କ୍ଲିନିକାଲ ଟ୍ରାଏଲ ସମୟରେ ଜଣେ ଭଲ୍ୟୁଂଟରଙ୍କ ସହିତ ଘଟିଥିବା ଘଟଣା ଟିକା ଦ୍ୱାରା ପ୍ରେରିତ ନୁହେଁ । କମ୍ପାନୀ ସମସ୍ତ ନିୟାମକ ଏବଂ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛି । ମୁଖ୍ୟ ଅନୁସନ୍ଧାନକାରୀ ଡିଏସଏମବି ବା ଡାଟା ଏବଂ ସୁରକ୍ଷା ମନିଟରିଂ ବୋର୍ଡ ଏବଂ ଏଥିକ୍ସ କମିଟି କହିଛି କୋଭିଡ ଭାକସିନ ପରୀକ୍ଷଣ ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ ।
ପୁନେର ଏହି କମ୍ପାନୀ କହିଛି, ମାନବ ପରୀକ୍ଷଣ ସମୟରେ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ବାହାରିଥିବା ନେଇ ଯେଉଁ ବ୍ୟକ୍ତିଜଣଙ୍କ ଦାବି କରିଥିଲେ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇ ଦିଆଯାଇଛି । କମ୍ପାନୀର ପ୍ରତିଷ୍ଠାକୁ ସୁରକ୍ଷିତ ରଖିବା ପାଇଁ ଏହି ନୋଟିସ ପଠାଯାଇଥିବା କୁହାଯାଇଛି । ଅନ୍ୟପକ୍ଷରେ ଏହି ବ୍ୟକ୍ତିଙ୍କ ପକ୍ଷରୁ ମଧ୍ୟ ଏକ ଲିଗାଲ ନୋଟିସ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନାଁରେ ପଠାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ମାନବ ପରୀକ୍ଷଣ ସମୟରେ ଏହି ବ୍ୟକ୍ତିଜଣଙ୍କ ଭର୍ଚୁଆଲ ନ୍ୟୁରୋଲଜିକାଲ ବ୍ରେକଡାଉନ ହୋଇଛି । ଏଥିପାଇଁ ସେ ୫କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ମାଗିଛନ୍ତି । ଏସଆଇଆଇ ସହିତ ଏହି ବ୍ୟକ୍ତିଜଣଙ୍କ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ଚେନ୍ନାଇର  ଶ୍ରୀରାମଚନ୍ଦ୍ର  ଇନଷ୍ଟିଚ୍ୟୁଟ ଅଫ  ହାୟର ଏଜୁକେସନ ଆଣ୍ଡ ରିସର୍ଚ୍ଚର ନାଁ ମଧ୍ୟ ନେଇଛନ୍ତି ।
ଏହି ବ୍ୟକ୍ତି ଜଣଙ୍କ ଦେଇଥିବା ଲିଗାଲ ନୋଟିସରେ ଉଲ୍ଲେଖ ରହିଛି, ତାଙ୍କ ଠାରେ ମାନବ ପରୀକ୍ଷଣ ପରେ ଏହି ବ୍ୟକ୍ତି ଜଣଙ୍କ ବ୍ରେନକୁ ଆକ୍ରାନ୍ତ କରୁଥିବା ଏନସେଫାଲୋପାଥି ଦ୍ୱାରା ପିଡିତ ହୋଇଛନ୍ତି । ସମସ୍ତ ପରୀକ୍ଷା ଏହା ମଧ୍ୟ ସୁଚାଉଛି, ଟିକା ନେବା ପରେ ହିଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଏବେ ଡ୍ରଗସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ, ଇନଷ୍ଟିଚ୍ୟୁସନାଲ ଏଥିକ୍ସ କମିଟିକୁ ଏହି ଘଟଣାର ତଦନ୍ତ ପାଇଁ ନିୟୋଜିତ କରିଛି ।