ଟିକା ନେଲେ ଅଦାର ପୁନାୱାଲା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାୱାଲା ନେଲେ ଟିକା; କହିଲେ, ଟିକାକରଣରେ କୋଭିସିଲ୍ଡ ସାମିଲ ହେବା ମୋ ପାଇଁ ଗୌରବର ବିଷୟ

165

କନକ ବ୍ୟୁରୋ: ଟିକା ନେଲେ ଟିକା ପ୍ରସ୍ତୁତ କରିଥିବା ସଂସ୍ଥାର ମୁଖ୍ୟ । କୋଭସିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ଟିକା ନେଇଛନ୍ତି । ଆଉ ଟିକା ନେବା ବେଳର ଭିଡିଓକୁ ନିଜ ଟ୍ୱିଟ୍ରେ ପୋଷ୍ଟ କରିଛନ୍ତି । ଏହାସହ ମେଗା ଟିକାକରଣର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଦାର ପୁନାୱାଲା । ମହାମାରୀ ଲଢେଇରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଭାକସିନ ସାମିଲ ହୋଇଛି ।

ଆଉ ଦେଶବ୍ୟାପୀ ମେଗା ଟିକାକରଣରେ କୋଭିସିଲଡ୍ ସାମିଲ ହେବା ମୋ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଅଦାର ପୁନାୱାଲା । ଦେଶବାସୀ ଟିକା ନିଅନ୍ତୁ ଆଉ ସୁସ୍ଥ ରହୁନ୍ତୁ । ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ନିଜେ ଟିକା ନେବା ସହ ଅନ୍ୟମାନେ ଏହି ମେଗା ଟିକାକରଣ ପ୍ରକ୍ରିୟାରେ ସାମିସ ହୁଅନ୍ତୁ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ । ଦେଶରେ ବର୍ତମାନ ଦୁଇଟି ଟିକା ଦିଆଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ର ସଂପୂର୍ଣ୍ଣ ଦେଶୀ କୋ-ଭାକସିନ୍ ଟିକା ଦିଆଯାଉଛି ।