ବିଶ୍ୱର ଶହେ ଦେଶକୁ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ୟୁନିସେଫ୍ ସହ ସ୍ୱାକ୍ଷର ହେଲା ବୁଝାମଣାପତ୍ର

133

କନକ ବ୍ୟୁରୋ: ବିଶ୍ୱର ଶହେ ଦେଶକୁ ୧.୧ ବିଲିୟନ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭାରତ ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା ଦେଶ ହୋଇଥିବାରୁ ଦୁଇ ଅନୁଷ୍ଠାନ ଭିତରେ ଏପରି ବୁଝାମଣା ପତ୍ର ସ୍ୱାକ୍ଷର ହେବା ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି ।
ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶକୁ କୋଭିସିଲ୍ଡ ଟିକା ଯୋଗାଉଛି । ଆଗକୁ କମ୍ପାନୀ ନୋଭାଭାକ୍ସ ଟିକା ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ ବିଶ୍ୱର ଶହେ ଦେଶକୁ ପ୍ରଦାନ କରାଯିବ ।

ୟୁନିସେଫର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫାରେଙ୍କ କହିବା ମୁତାବକ, ସେ ପାନ୍ ଆମେରିକାନ୍ ହେଲଥ୍ ଅନୁଷ୍ଠାନ ଏବଂ ବିଭିନ୍ନ ଅନୁଷ୍ଠାନ ସହ ମିଶି ଏହି ଟିକା ପାଇଁ ଅର୍ଡର ଦେଇଛନ୍ତି । ଏହି ଟିକାକୁ ବିଶ୍ୱର ନିମ୍ନ ଓ ମଧ୍ୟମ ଆୟ କରୁଥିବା ଲୋକଙ୍କୁ ଦିଆଯିବ । ୟୁନିସେଫ୍ ଜରିଆରେ ଏହି ଟିକାକୁ ବଣ୍ଟାଯିବ ।

ସୂଚନାଯୋଗ୍ୟ ଯେ, ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା କମ୍ପାନି ଭାବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି । ଆଗାମୀ ଦିନରେ କମ୍ପାନି ନୋଭାଭାକ୍ସ ଟିକା ମଧ୍ୟ ଆଣିବାକୁ ଯାଉଛି । ଭାରତରେ ଏହାର ପରୀକ୍ଷଣ ପାଇଁ କମ୍ପାନି ଅନୁମତି ମାଗିଛି । ପରୀକ୍ଷଣ ଶେଷ ହେବା ପରେ ଏହାର ବ୍ୟବହାର ଆରମ୍ଭ ହେବ ।