ସେପ୍ଟେମ୍ବର ମାସରୁ ସେରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟନିକ-ଭି ଟିକା । ବାର୍ଷିକ ୩୦ କୋଟି ଉତ୍ପାଦନ ଲକ୍ଷ୍ୟ

119

କନକ ବ୍ୟୁରୋ : ଭାରତର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଋଷୀୟ ଟିକା ସ୍ପୁଟନିକ-ଭି କୁ ସେପ୍ଟେମ୍ବର ମାସ ଠାରୁ ଉତ୍ପାଦନ କରିବ । ଏହାସହ ବାର୍ଷିକ ୩୦ କୋଟି ଡୋଜ ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି । ସୂଚନା ମୁତାବକ ଏବେ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସିଜିଆଇର ମଞ୍ଜୁରୀ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ଷକୁ ୩୦ କୋଟି ଖୋରାକ ଉତ୍ପାଦନ କରାଯିବା ନେଇ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଭ୍ୟାକ୍ସିନର ପ୍ରଥମ ବ୍ୟାଚ୍ ୨୦୨୧ ସେପ୍ଟେମ୍ବର ମାସରେ ବଜାରର ଉପଲବ୍ଧ ହେବ ବୋଲି କମ୍ପାନୀ ଆଶା କରିଛି । ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି କି ସ୍ପୁଟନିକ ଭି ଟିକା ପ୍ରସ୍ତୁତ ନେଇ ଆରଡିଆଇଏଫ୍ (ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ) ସହିତ ବୁଝାମଣା କରି ସେ ବେସ୍ ଖୁସି ଅଛନ୍ତି ।

ସେ ଆହୁରି କହିଛନ୍ତି କି ଉଚ୍ଚ ପ୍ରଭାବଶାଳୀ ଓ ଅଧିକ ସୁରକ୍ଷା ପ୍ରଦାନ କରୁଥିବା ସ୍ପୁଟନିକ-ଭି ଭ୍ୟାକ୍ସିନ ଭାରତ ସମେତ ସାରା ବିଶ୍ୱର ଲୋକମାନଙ୍କ ପାଇଁ ଉପଲବ୍ଧ ହେଉ । କରୋନା ଭୂତାଣୁ ବଦଳାଉଥିବା ସ୍ୱରୂପକୁ ନଜରରେ ରଖି ସରକାର ଓ ଅନ୍ତର୍ଜାତୀୟ ସଂସ୍ଥାମାନେ କରୋନା ଲଢେଇରେ ବିଶ୍ୱର ମାନବ ସଭ୍ୟତାକୁ ସହଯୋଗ କରିବାକୁ ଗରୁତ୍ୱ ଦେବା ଆବଶ୍ୟକ । ଆରଡିଆଇଏଫ୍ ର ସିଇଓ କିରୀଲ ଦିମିତ୍ରୀବ କହିଛନ୍ତି କି, ଦୁନିଆର ସବୁଠାରୁ ବଡ ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ସହିତ ଭାଗିଦାରୀରେ ଟିକା ପ୍ରସ୍ତୁତ କରୁଥିବାରୁ ସେ ବହୁତ ଖୁସି ଅଛନ୍ତି । ଏହାସହ ଏହି ଟିକା କରୋନାର ସବୁ ପ୍ରକାର ଭାରିଆଣ୍ଟ ସହ ଲଢିବାର କ୍ଷମତା ରଖିଥିବା ସହ ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି ସେ ସ୍ପଷ୍ଟ କରିଛନ୍ତି ।