କନକ ବ୍ୟୁରୋ: ରାଜ୍ୟରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଭଲ ଖବର ଆସିଛି । ଭୁବନେଶ୍ୱରର ପାଖାପାଖି ୫୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହୋଇଛି ଆଂଟିବଡି । ଅର୍ଥାତ ଅଧା ଭୁବନେଶ୍ୱରବାସୀ କରୋନା ଭୂତାଣୁ ସଂସ୍ପର୍ଶରେ ଆସି ସୁସ୍ଥ ହୋଇଛନ୍ତି । ତୃତୀୟ ସିରୋ ସର୍ଭେ ରିପୋର୍ଟରୁ ଏହି ଆଶ୍ୱସ୍ତ କଲାଭଳି ତଥ୍ୟ ସାମନାକୁ ଆସିଛି । ଆରଏମଆରସି, ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ସିରୋ ସର୍ଭେ କରିଥିଲେ । ୫୦ ପ୍ରତିଶତ ଲୋକଙ୍କ ଠାରେ ଆଂଟିବଡି ସୃଷ୍ଟି ହୋଇଥିବାରୁ ଭୁବନେଶ୍ୱର ହର୍ଡ ଇମ୍ୟୁନିଟି ଆଡକୁ ଗତି କରୁଛି ବୋଲି କହିଛନ୍ତି ବିଶେଷଜ୍ଞ । ଆଗକୁ କରୋନା ମୁକାବିଲା ନେଇ ସରକାରଙ୍କ ରୋଡମ୍ୟାପ କିପରି ରହିବ, ସ୍ଥିର କରିବ ଏହି ସିରୋ ସର୍ଭେ ରିପୋର୍ଟ ।
Advertisment
କରୋନାକୁ ନେଇ ଭୁବନେଶ୍ୱର ପାଇଁ ଭଲ ଖବର
୫୦ ପ୍ରତିଶତ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଂଟିବଡି
ଅର୍ଥାତ ୫ରୁ ୬ ଲକ୍ଷ ଲୋକ କରୋନା ସଂସ୍ପର୍ଶରେ ଆସି ଭଲ ହୋଇଛନ୍ତି
ବିଶେଷଜ୍ଞ କହିଲେ ହର୍ଡ ଇମ୍ୟୁନିଟି ଆଡ଼କୁ ଆଗଉଛି ଭୁବନେଶ୍ୱର 
କରୋନା ଟିକା ଆସିବା ପୂର୍ବରୁ ଯେଉଁ ଗୋଷ୍ଠୀ ବା ସାମୁହିକ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ନେଇ ଅପେକ୍ଷା ରହିଥିଲା, ସେହିଭଳି ସ୍ଥିତି ଆଡକୁ ଇଙ୍ଗିତ କରୁଛି ଭୁବନେଶ୍ୱରର ସିରୋ ସର୍ଭେ ରିପୋର୍ଟ । ଭୁବନେଶ୍ୱରରେ ୧୧ ଲକ୍ଷ ବାସିନ୍ଦା । ସିରୋ ସର୍ଭେ ଅନୁସାରେ ପାଖାପାଖି ୫୦ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି । ଅର୍ଥାତ ସାଢ଼େ ୫ ଲକ୍ଷ ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି ।
ସିରୋ ସର୍ଭେ କ’ଣ?
କମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତିର ଆକଳନ କରାଯାଏ
ବିଭିନ୍ନ ଗୋଷ୍ଠୀରୁ ରକ୍ତ ନମୁନା ସଂଗ୍ରହ କରାଯାଏ
ସେଥିରେ ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ସୃଷ୍ଟି ହୋଇଥିବା ଆଂଟିବଡି ଚିହ୍ନଟ ହୋଇଥାଏ
ଏବେ ନଜର ପକାଇବା ଭୁବନେଶ୍ୱରରେ ହୋଇଥିବା ସିରୋ ସର୍ଭେ ଉପରେ 
ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ହୋଇଥିଲା ତୃତୀୟ ସେରୋ ସର୍ଭେ
୨୫ଟି ୱାର୍ଡରୁ ୧୪୦୩ ନମୁନା ସଂଗ୍ରହ
୧୦ଟି ୱାର୍ଡରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ଦେହରେ ଆଂଟିବଡି ଚିହ୍ନଟ
୫ଟି ୱାର୍ଡରେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କ ଦେହରେ ଆଂଟିବଡି
୯୦ ପ୍ରତିଶତଙ୍କ ଠାରେ ଲକ୍ଷଣ ନାହିଁ  
ଜୁଲାଇ ୧୧ରେ ଭୁବନେଶ୍ୱରରେ ହୋଇଥିଲା ପ୍ରଥମ ସିରୋ ସର୍ଭେ
୧.୪୨ ପ୍ରତିଶତ ଲୋକଙ୍କ ଶରୀରରେ ଆଂଟିବଡି ଚିହ୍ନଟ ହୋଇଥିଲା
ଅଗଷ୍ଟ ୨୮ରେ ହୋଇଥିଲା ଦ୍ୱିତୀୟ ସିରୋ ସର୍ଭେ
୫.୧ ପ୍ରତିଶତ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଥିଲା ଆଂଟିବଡି
ଏବେ ତୃତୀୟ ସିରୋ-ସର୍ଭେ ରିପୋର୍ଟ କହୁଛି ପାଖାପାଖି ୫୦ ପ୍ରତିଶତ ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି । ଏହାର ଆଉ ଏକ ଅର୍ଥ ହେଉଛି ଏବେ ବି ୫୦ ପ୍ରତିଶତ ଲୋକଙ୍କ କରୋନା ଛୁଇଁନାହିଁ । ତେଣୁ କରୋନା କଟକଣା ପୂର୍ବଭଳି ମାନିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱରରେ ୧୧ ଲକ୍ଷ ଲୋକ ରହୁଥିବା ବେଳେ ସାଢ଼େ ୩ ଲକ୍ଷ ଲୋକ ଅର୍ଥାତ୍ ୩୦ ପ୍ରତିଶତ ଲୋକଙ୍କର କରୋନା ପରୀକ୍ଷା ହୋଇଛି । ଶୀତ ଦିନରେ ଥଣ୍ଡା କାଶ ବଢ଼ିବା ଆଶଙ୍କା ଥିବାରୁ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ସହ ସାମାନ୍ୟତମ ଲକ୍ଷଣ ଥିଲେ କୋଭିଡ ପରୀକ୍ଷା କରାଇନେବାକୁ ପରାମର୍ଶ ଦିଆଯାଇଛି ।