ଆସିଲା ଭୁବନେଶ୍ୱରର ସେରୋ ସର୍ଭେ ରିପୋର୍ଟ । ଜୁନ ମାସରେ ମାତ୍ର ୧ ଦଶମିକ ୪ ପ୍ରତିଶତ ଲୋକଙ୍କ ଠାରେ ସୃଷ୍ଟି ହୋଇଛି ଆଂଟିବଡି । ସେପଟେ ଆଜି ବ୍ରହ୍ମପୁରରେ ଆରମ୍ଭ ହେଲା ସେରୋ ସର୍ଭେ

1,091

କନକ ବ୍ୟୁରୋ: ହର୍ଡ ଇମ୍ୟୁନିଟି ବହୁ ପଛରେ ଭୁବନେଶ୍ୱର । ଶହେ ଜଣରେ ମାତ୍ର ଦେଢ଼ ଜଣଙ୍କର ରହିଛି କରୋନା ପ୍ରତିରୋଧ ଶକ୍ତି । ଭୁବନେଶ୍ୱରରେ ହୋଇଥିବା ସେରୋଲୋଜିକାଲ୍ ସର୍ଭେରୁ ଆସିଛି ଏପରି କିଛି ତଥ୍ୟ । ସାଧାରଣ ବର୍ଗ ନମୁନାରେ ଯେପରି ତଥ୍ୟ ଆସିଥିଲା, ହାଇରିସ୍କ ଗ୍ରୁପ୍ ବା ଅତି ସମ୍ବେଦନଶୀଳ ବର୍ଗର ନମୁନାରେ ଆସିଛି ସେହି ଏକାପ୍ରକାର ତଥ୍ୟ । ପ୍ରଥମ ପର୍ଯ୍ୟାୟ ପ୍ରଥମ ଭାଗରେ ସାଧାରଣ ବର୍ଗର ୧୬୦୦ ନମୁନା ସଂଗ୍ରହ କରାଯାଇଥିଲା, ସେଥିରୁ ମାତ୍ର ୧.୪ ପ୍ରତିଶତ ଲୋକଙ୍କ ଦେହରେ କୋଭିଡ୍-୧୯ ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଆଂଟବଡି ବା ରୋଗ ପ୍ରତିରୋଧ ଶକ୍ତି ତିଆରି ହୋଇଥିଲା । ଦ୍ୱିତୀୟ ଭାଗରେ ଅତି ସମ୍ବେଦନଶୀଳ ବର୍ଗର ୯୦୦ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା, ସେଥିରୁ ୧.୪ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକଙ୍କ ଦେହରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହୋଇଥିବା ଜଣାପଡିଛି ।

ସାରା ରାଜ୍ୟରେ ଗଂଜାମ ତଳକୁ ଭୁବନେଶ୍ୱରରେ ହିଁ କରୋନା ସଂକ୍ରମଣ ଅଧିକ ହୋଇଛି । ଏହା ସତ୍ୱେ ମୋଟ ଜନସଂଖ୍ୟାର ବଡ଼ ଭାଗକୁ ଛୁଇଁ ପାରିନି କରୋନା । ତେବେ ବିଶେଷଜ୍ଞ ଡାକ୍ତରଙ୍କ କହିବା କଥା ୬୦ରୁ ୭୦ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହେଲେ ହର୍ଡ ଇମ୍ୟୁନିଟି ହେବ ଏବଂ ଏହି ରୋଗ ଶୀଘ୍ର ଦୂର ହେବ ।

ସେରୋ ସର୍ଭେ ଜରିଆରେ କେତେ ଲୋକଙ୍କ ଦେହରେ ଆଂଟିବଡି ତିଆରି ହୋଇଛି, ତାହା ଜାଣିବାକୁ ଉଦ୍ୟମ କରାଯାଉଛି । ସରଳ ଭାଷାରେ ବୁଝାଇ କହିଲେ କେତେ ଲୋକ ଅଜାଣତରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । ଆଉ ସେମାନଙ୍କ ଦେହରେ କରୋନା ବିରୋଧରେ ଲଢ଼େଇ ପାଇଁ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଜୁନ୍ ମାସର ସଂକ୍ରମଣକୁ ନେଇ ସର୍ଭେ କରାଯାଇଥିଲା । ଜୁଲାଇ ମାସରେ ଭୁବନେଶ୍ୱରରେ ସ୍ଥିତି କିପରି ରହିଛି ଜାଣିବା ପାଇଁ ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ସେପଟେ ଗଂଜାମରେ ମଧ୍ୟ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ୨୫ ଶହ ନମୁନା ସଂଗ୍ରହ କରାଯାଇ ସର୍ଭେ କରାଯିବ । ଖୁବ ଶୀଘ୍ର ବଡମ୍ବା-ନରସିଂହପୁରରେ ହେବାକୁ ଯାଉଛି ସେରୋ ସର୍ଭେ ।