ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋ ସର୍ଭେ : ପ୍ରଥମ ପର୍ଯ୍ୟାୟରେ ସହରର ୨୦ଟି ସାହିରୁ ୫୦ ଜଣଙ୍କର କରାଯିବ ନମୁନା ସଂଗ୍ରହ

81

କନକ ବ୍ୟୁରୋ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆରମ୍ଭ ହୋଇଛି ସେରୋ ସର୍ଭେ । ପ୍ରଥମ ପର୍ଯ୍ୟାୟରେ ସହରର ୨୦ଟି ସାହିରୁ ୫୦ ଜଣଙ୍କର ନମୁନା ସଂଗ୍ରହ କରାଯିବ । ଏଥିରେ ଭୁବନେଶ୍ୱର ଆଇସିଏମଆର ଓ ଆରଏମଆରସିର ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି । ୫ଟି ଟିମରେ ବୈଜ୍ଞାନିକଙ୍କ ସହ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଅଧିକାରୀ ରହିଛନ୍ତି ।

ଜିଲ୍ଲାପାଳ ଅନୁପମ ଶାହା ସମସ୍ତ ପରୀକ୍ଷା କେନ୍ଦ୍ର ବୁଲି ପୁରା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସହରରେ କରୋନା କେତେ ବ୍ୟାପିଛି ଏବଂ କେତେ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି ତାହା ଏହି ସର୍ଭେରୁ ସ୍ପଷ୍ଟ ହେବ । ଏହାକୁ ଆଧାର କରି କୋଭିଡ ମୁକାବିଲା ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ । ମୋଟ ଉପରେ କରୋନା ସଂକ୍ରମିତ ଅଂଚଳରୁ ହଜାରେ ଲୋକ ଏବଂ ୫ଶହ ଜଣ କୋଭିଡ ଯୋଦ୍ଧାଙ୍କ ନମୁନା ପରୀକ୍ଷଣ କରାଯିବ ।

ସେପଟେ , କେନ୍ଦ୍ର ଓ ରାଜ୍ୟ ସରକାର ସଟଡାଉନ୍ ଓ ଲକଡାଉନ୍ ବନ୍ଦ କରିଦେଲେ । ଏହାପରେ ଦୋକାନ ବଜାରରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଲୋକେ ସାମାଜିକ ଦୂରତାକୁ ମାନୁନାହାଁନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଣିକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନେଇଛି । ଆସନ୍ତା ୫ ଦିନ ଯାଏ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ସମୟରେ ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯିବ । ଉମରକୋଟରେ ସଂକ୍ରମଣ ବଢିବା ସହ ଲୋକେ କରୋନା ଗାଇଡଲାଇନ ମାନିବାରେ ଅବହେଳା କରୁଛନ୍ତି । ତେଣୁ ବଣିକ ସଂଘ, ଉଠାଦୋକାନୀ, ବଡ ବ୍ୟବସାୟୀ ସଂଘ ମିଳିତ ଭାବେ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା କିଛି ପରିମାଣରେ ସଂକ୍ରମଣ କମିପାରିବ ବୋଲି ଉମରକୋଟ ବଣିକ ସଂଘ ଆଶା କରିଛି ।