ଆରମ୍ଭ ହେଲା ସେରୋ ସର୍ଭେ : ବୁଧବାର ସୁଦ୍ଧା ରିପୋର୍ଟ ଆସିବ, ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ଜଣାପଡ଼ିବ

କରୋନା ରିପୋର୍ଟରେ ସାଙ୍ଘାତିକ ତ୍ରୁଟି । ଦିନରେ ନେଗେଟିଭ ରାତିରେ ଆସିଲା ପଜିଟିଭ ରିପୋର୍ଟ

source : google

କନକ ବ୍ୟୁରୋ : ରାଜଧାନୀବାସୀଙ୍କ ଶରୀରରେ କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଅଛି କି ନାହିଁ, ବ୍ୟକ୍ତି ଜଣଙ୍କ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ, ଶରୀରରେ ରୋଗ ପ୍ରତି‌ରୋଧ ଶକ୍ତି ବିକଶିତ ହୋଇଛି କି ନାହିଁ, ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି କି ନାହିଁ, ଯଦି ଗୋଷ୍ଠୀ ସଂକ୍ରମଣ ହୁଏ ତାହାର ମୁକାବିଲା କରିବା ସହଜ ହେବ କି ନାହିଁ ତାହା ଜାଣିବା ପାଇଁ ରାଜଧାନୀରେ ସେରୋଲୋଜିକାଲ ଟେଷ୍ଟ ବା ସେରୋ ସର୍ଭେ ଆରମ୍ଭ ହୋଇଛି। ଏଥିରେ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୨୫ଟି ୱାର୍ଡରେ ଏହି ସର୍ଭେ ହେବାକୁ ଥିବାବେଳେ ଏଥିରେ ଅତି ସମ୍ବେଦନଶୀଳ ବର୍ଗର ୧୬୦୦ ଜଣଙ୍କର ଏବଂ ଗୋଷ୍ଠୀରୁ ୯୦୦ ଜଣଙ୍କର ନମୁନା ସଂଗ୍ରହ ହେବ। ଶନିବାର ଓ ରବିବାର ବିଭିନ୍ନ ଗୋଷ୍ଠୀର ଲୋକଙ୍କର ନମୁନା ସଂଗ୍ରହ ହେବ। ଏଥିରେ ମୋଟ୍‌ ୯୦୦ ଜଣଙ୍କର ନମୁନା ସଂଗ୍ରହ ହେବାକୁ ଥିବାବେଳେ ୫୩୦ଜଣଙ୍କର ସଂଗ୍ରହ ହୋଇଛି। ଆଜି ବାକି ୩୭୦ଜଣଙ୍କର ସଂଗ୍ରହ ହେବ। ଏହାପରେ ଅତି ସମ୍ବେଦନଶୀଳ ବର୍ଗର ଲୋକଙ୍କର ନମୁନା ସଂଗ୍ରହ ହେବ। ନମୁନା ସଂଗ୍ରହ ହେବା ପରେ ଆର୍‌ଏମ୍‌ଆର୍‌ସିରେ ଏହା ଉପରେ ଗବେଷଣା ହେବ। ୪ରୁ ୫ଦିନ ପରେ ଆର୍‌ଏମ୍‌ଆର୍‌ସି ତା’ର ରିପୋର୍ଟ ବିଏମ୍‌ସିକୁ ଦେବ ବୋଲି ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକ ବି (ମେଡିକାଲ) ଡାକ୍ତର ଜୟସିଂହ କ୍ଷେତ୍ରି କହିଛନ୍ତି।

ଏହି ସର୍ଭେ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ରାଜଧାନୀବାସୀ କରୋନା ମୁକାବିଲାରେ କେତେ ଆଗରେ ଅଛନ୍ତି। ରାଜଧାନୀରେ କରୋନା ସ୍ଥିତି କ’ଣ ଅଛି। ଆର୍‌ଏମ୍‌ଆର୍‌ସି ଓ ବିଏମ୍‌ସି ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ୫ଟି ସର୍ଭେଲାନ୍ସ ଟିମ୍‌ ଗଠନ ହୋଇଛି। ୧୦ରୁ ୧୨ଦିନରେ ୨୫୦୦ ଲୋକଙ୍କର ନମୁନା ସଂଗ୍ରହ ହେବ। ୨୮ଦିନ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହେବ। ଏଥିରେ ବି ୨୫୦୦ ଲୋକଙ୍କର ନମୁନା ସଂଗ୍ରହ ହେବ। ଏବେ କେଉଁ ଅଞ୍ଚଳରେ କିପରି ନମୁନା ସଂଗ୍ରହ ହେବ ତାହା ବିଏମ୍‌ସିର ତିନି ଜୋନାଲ ଡେପୁଟି କମିସନରଙ୍କ ରିପୋର୍ଟକୁ ଅଧାର କରି ପ୍ରସ୍ତୁତ କରାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ କୋଭିଡ୍‌-୧୯ ଗାଇଡଲାଇନ୍ ଅନୁଯାୟୀ ରାଜଧାନୀରେ ସେରୋଲୋଜିକାଲ୍‌ ସର୍ଭେ ହେଉଛି। ରାଜଧାନୀର ୨୫ଟି ୱାର୍ଡର ୨୫ଟି ଅଞ୍ଚଳରେ ଏହି ସର୍ଭେ ହେବ। ୱାର୍ଡ ନଂ- ୨,୪,୭,୧୪,୧୭,୧୯,୨୭,୨୯, ୩୨, ୪୦, ୪୨, ୪୫, ୫୪, ୫୬ ଏବଂ ୫୯। ରବିବାର ଠାରୁ ୱାର୍ଡ ନଂ- ୯,୧୨,୨୨,୨୪,୩୫,୩୭,୪୮,୫୧, ୬୨ ଏବଂ ୬୫ରେ ଏହି ସର୍ଭେ ହେବ। ଏଥିପାଇଁ ୫ଟି ସର୍ଭେଲାନ୍ସ ଟିମ୍‌ ଗଠନ ହୋଇଛି। ଜୁଲାଇ ୧୧ ଓ ୧୨ ଦୁଇ ଦିନ ଏହି ୱାର୍ଡର ଗୋଷ୍ଠୀ ଅଞ୍ଚଳରୁ ନମୁନା ସଂଗ୍ରହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe