ଆରପାରିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ୱାନ: ଲିଭର କ୍ୟାନସରରେ ପୀଡିତ ହୋଇ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ; ଭୋର ୩ଟା ୫ରେ ପରଲୋକ

791

କନକ ବ୍ୟୁରୋ: ଆରପାରିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ୱାନ । ସେ ଲିଭର କ୍ୟାନ୍ସରରେ ପୀଡିତ ଥିଲେ । ଗତ ୩୦ ତାରିଖରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେ ୫ ତାରିଖରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଆଜି ଭୋର ୩ଟା ୦୫ରେ ସୁବାସ ଚୌହ୍ୱାନ ପରଲୋକ ହୋଇଛି । ୧୯୬୬ରେ ବରଗଡରେ ସୁବାସ ଚୌହ୍ୱାନ ଜନ୍ମଗ୍ରହଣ କରିଥିଲେ ।

ପାଠ ପଢିବା ସମୟରୁ ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ଓ ବଜରଙ୍ଗ ଦଳ ସହ ସଂପୃକ୍ତ ଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସୁବାସ ବିଜେପି ଛାଡି ବିଜେଡିରେ ମିଶିଥିଲେ । ୨୦୧୯ ସେପେଟମ୍ବରରେ ସୁବାସ ଚୌହ୍ୱାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଏହି ଦାୟିତ୍ୱ ମିଳିବା ପରେ ସେ ପରିଷଦ ଅଧିନିସ୍ଥ ୧୧ଟି ଜିଲ୍ଲା ଭ୍ରମଣ କରି କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହ ବିଜେଡି ପକ୍ଷରୁ କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ସମ୍ବଲପୁର ଜିଲ୍ଲାପାଇଁ ମଧ୍ୟ ସାଧାରଣ ସମ୍ପାଦକ ଥିଲେ ।

୨୦୧୪ ଲୋକସଭା ନିର୍ବାଚନରେ ସେ ବରଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇ ମାତ୍ର ୧୦ ହଜାର ଭୋଟରେ ହାରିଥିଲେ । ୨୦୧୯ ନିର୍ବାଚନରେ ବିଜେପି ଟିକେଟ ନ ଦେବାରୁ ସୁବାସ ଚୌହ୍ୱାନ ବିଜେଡିରେ ସାମିଲ ହୋଇଥିଲେ । ସୁବାସ ଚୌହ୍ୱାନଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।