ଭୁବନେଶ୍ୱରରୁ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନିଆଗଲା କୋଲକାତା : ସ୍ୱାମୀର ଜୀବନ ବଂଚାଇବାକୁ ସ୍ତ୍ରୀର ଆପ୍ରାଣ ଉଦ୍ୟମ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

1,548

କନକ ବ୍ୟୁରୋ : ମହାମାରୀରେ କରୋନା ବାପାଙ୍କୁ ଛଡେଇ ନେଇଛି । ଏବେ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘରର ଜଣେ ପୁରୁଷ ଆରପାରିକୁ ଚାଲିଯିବା ପରେ ଆଉ ଜଣେ ଏବେ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସ୍ୱାମୀଙ୍କୁ ସୁସ୍ଥ କରି ଡାକ୍ତରଖାନାକୁ ଘରକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ଓ ଭଉଣୀ । ଘରେ ପୁରୁଷ ନାହାନ୍ତି, କିନ୍ତୁ ଦୁଇ ଜଣ ମହିଳା ହାରି ନାହାନ୍ତି ସାହାସର ସହ ପରିସ୍ଥିତି ସହ ମୁକାବିଲା କରୁଛନ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଂଚଳର ରମେଶ ସାହୁ ଗତ କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଭଞ୍ଜନଗର ପରେ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା । ହେଲେ ଦିନକୁ ଦିନ ରମେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସିଏମଓ ଚିକିତ୍ସାର ଆବଶ୍ୟକତା ପଡିଲା । ରମେଶଙ୍କ ସ୍ତ୍ରୀ ନିଜେ ଏୟାର ଆମ୍ବୁଲାନ୍ସ ଯୋଗାଡ କରି ୧୫ ଲକ୍ଷ ଟଙ୍କା ଦେଇ ସ୍ୱାମୀଙ୍କୁ କୋଲକାତା ନେଇଛନ୍ତି । ମେ ୧୮ ତାରିଖରୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।

ପ୍ରତିଦିନ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଏବେ ସୁଦ୍ଧା ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଏବେ ଆଉ ପାଖରେ ଅର୍ଥ ନାହିଁ, ତଥାପି ସାହାସ ହାରି ନାହାନ୍ତି ରମେଶଙ୍କ ପତ୍ମୀ ଓ ତାଙ୍କ ଭଉଣୀ । ଦୁଇ ଜଣ ମହିଳା କୋଲକାତାରେ ରହି ତାଙ୍କ ଚିକିତ୍ସା କରାଉଥିବା ବେଳେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ସିନ୍ଦୁରକୁ ସୁସ୍ଥ କରି ଡାକ୍ତରଖାନାରୁ ଘରକୁ ଫେରାଇ ଆଣିବା ପାଇଁ ଜଣେ ସ୍ତ୍ରୀ ଆକୁଳ ନିବେଦନ କରିଛନ୍ତି । କୌଣସି ସହହୃଦୟ ବ୍ୟକ୍ତି ସହଯୋଗ କରିବା ପାଇଁ ରମେଶଙ୍କ ସ୍ତ୍ରୀ ଆକୁଳ ନିବେଦନ କରିଛନ୍ତି ।