ସରପଞ୍ଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଭୋଟ୍ ନଦେଲେ ସରକାରୀ ଯୋଜନାରୁ ନାଁ କାଟି ଦେବାକୁ ଦେଉଛନ୍ତି ଧମକ

167

କନକ ବ୍ୟୁରୋ: ସରପଞ୍ଚଙ୍କ ବିରୋଧରେ ଗ୍ରାମବାସୀଙ୍କ ବିଷୋଦଗାର । ଭୋଟ୍ ନଦେଲେ ରେସନ୍ କାର୍ଡ ସମେତ ଅନ୍ୟ ସରକାରୀ ସୁବିଧାରୁ ବଞ୍ଚିତ କରାଇବାକୁ ଖୋଲାଖୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ବାଣପୁର ବ୍ଲକର କୁମାରାଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି କିଛି ସାଧାରଣ ଜନତା ।

ତେବେ ଗାଁ ରାଜନୀତିର ଇଏ ହେଉଛି ବାସ୍ତବତା । ଯିଏ ଜିତେ, ପ୍ରତିପକ୍ଷଙ୍କୁ ଟାର୍ଗେଟ କରେ, ଯୋଜନାରୁ ନାଁ କାଟିଦେବାକୁ ଧମକ ଦିଏ । ଆଉ ଭୋଟ୍ ପ୍ରଚାର ସମୟରେ ବି ସେଇ ସମାନ କଥା ପ୍ରତିଫଳିତ ହେଉଛି । ଭୋଟ୍ ନଦେଲେ ରେସନ୍ କାର୍ଡ ସମେତ ଅନ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଇବାକୁ ଖୋଲାଖୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ମୁଡ୍ ପରଖିବାକୁ ଯେତେବେଳେ ଆମ ସ୍କୁଟି ରିପୋର୍ଟର୍ ଟିମ୍ ପହଁଚିଥିଲା, ସେତେବେଳେ ବାଣପୁର ବ୍ଲକର କୁମାରାଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଖୋଲା ବିଷୋଦଗାର କରିଥିଲେ ସାଧାରଣ ଜନତା ।

ତେବେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ତୃଣମୁଳ ସ୍ତରରେ ପହଁଚାଇବାକୁ ଯେଉଁ ପ୍ରକ୍ରିୟା ରହିଛି ସେଥିରେ ସରପଞ୍ଚଙ୍କର ଏକ ବଡ ଭୂମିକା ରହିଥାଏ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ ହିତାଧିକାରୀ ଚୟନ କରାଗଲେ କେବେ ବି ଏହାର ସୁଫଳ ମିଳିପାରେ ନାହିଁ । ତେଣୁ ଆସିଥିବା ଅଭିଯୋଗ ନେଇ ଆମେ ବର୍ତମାନର ସରପଞ୍ଚଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ହେଲେ ତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରି ନାହିଁ ।