କନକ ବ୍ୟୁରୋ : କଟକର ଏକ ଘରୋଇ ହସପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ବିଭୂତି ଭୂଷଣ ଜେନା । ଶରୀରରେ ହିମୋଗ୍ଲୋବିନ୍ କମ୍ ଥିବାରୁ ତାଙ୍କୁ ରକ୍ତ ଦେବାକୁ କହିଥିଲେ ଡାକ୍ତର । କଟକ ରେଡକ୍ରସ୍ ରକ୍ତଭଣ୍ଡାରରୁ ରକ୍ତ ଆଣି ଦିଆଯିବା ପରେ ଥରିବା ସହ ଗୁରୁତର ହୋଇପଡ଼ିଲେ ବିଭୂତି । ତୁରନ୍ତ ରକ୍ତ ଦେବା ବନ୍ଦ କରି ଦେଇଥିଲେ ଆଇସିୟୁ ଷ୍ଟାଫ୍ । ପୁଅ ଅଭିଷେକ ଜେନା କହିଛନ୍ତି, ତାଙ୍କ ବାପାଙ୍କ ବ୍ଲଡ୍ ଗ୍ରୁପ୍ – ଏ ପଜିଟିଭ୍ । ପୂର୍ବରୁ ରକ୍ତ ଦିଆଯିବା ବେଳେ କିଛି ସମସ୍ୟା ହୋଇ ନଥିଲା, ଏବେ ଭୁଲ ରକ୍ତ ଦିଆଯିବାରୁ ଅସୁବିଧା ହେଲା ବୋଲି ଅଭିଯୋଗ କରିଛନ୍ତି ଅଭିଷେକ ।

Advertisment

ରକ୍ତ ପ୍ୟାକେଟ୍ ଉପରେ ଏ-ପଜିଟିଭ୍ ଲେଖା ହୋଇଥିବା ବେଳେ ପରୀକ୍ଷା ପରେ ଏହା ବି-ପଜିଟିଭ୍ ରକ୍ତ ବୋଲି ଜଣାପଡିଥିଲା । କିପରି ଏତେ ବଡ଼ ତ୍ରୁଟି ହେଲା, ଏହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । କଟକ ରେଡକ୍ରସ ରକ୍ତଭଣ୍ଡାର ନିର୍ଦ୍ଦେଶକ କହିଛନ୍ତି. ଏ ନେଇ ତଦନ୍ତ କରାଯିବ, କାହାର ଭୁଲ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠି ପ୍ରଶ୍ନ ଉଠୁଛି, କେମିତି ବଦଳି ଯାଉଛି ରକ୍ତ ପ୍ୟାକେଟ୍?
ଏପରି ଚରମ ଅବହେଳା ପାଇଁ କିଏ ରହିବେ ଦାୟୀ?
ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।