ଦୁଆରଶୁଣି ଘାଟିରେ ସିରିଜ ଦୁର୍ଘଟଣା । ୧୫ରୁ ଅଧିକ ଜଣଙ୍କୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ ।

319

କନକ ବ୍ୟୁରୋ: ଦୁଆରଶୁଣି ଘାଟିରେ ଆଜି ପୁଣି ଥରେ ସିରିଜ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଯାଉଥିବା ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଜଣକ ପରେ ଜଣକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ମୋଟ୍‌ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ମୟୂରଭଂଜ ଜିଲ୍ଲା ଦ୍ୱାରଶୁଣି ଘାଟିରେ ଏକ ଦ୍ରୁତଗାମୀ ଆଇରନ୍‌ ବୋଝେଇ ଟ୍ରକ୍‌ ଜଣକ ପରେ ଜଣକୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଦୁଇଟି ବସ୍‌, ଦୁଇଟି କାର୍‌, ଏକ ଅଟୋ, ଏକ ବୋଲେରୋ ଓ ଏକ ବାଇକ୍‌କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆହତମାନଙ୍କୁ ପ୍ରଥମେ ଦ୍ୱାରଶୁଣିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍‌ ଏବଂ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାଯୋଗ୍ୟ, ଦୁଆରଶୁଣି ଘାଟିରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଚାଳକମାନଙ୍କର ସାମାନ୍ୟ ଅବହେଳା ଯୋଗୁଁ ଲୋକଙ୍କର ଧନଜୀବନକୁ କ୍ଷତି ପହଞ୍ଚାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।