ନୂଆ କୃଷି ଆଇନ : ପାରିତରୁ ପ୍ରତ୍ୟାହାର ଯାଏଁ, କଣ ଥିଲା ପୂରା ଘଟଣାକ୍ରମ । ଥରେ ନଜର ପକାନ୍ତୁ ।

188

କନକ ବ୍ୟୁରୋ : ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି । ଚାଷୀଙ୍କର ବିଜୟ ହୋଇଛି, ସରକାର ଶେଷରେ ଚାଷୀଙ୍କ ଦାବିକୁ ମାନି ନେଇଛନ୍ତି । ପ୍ରତ୍ୟାହାର ହୋଇଛି ୩ ନୂଆ କୃଷି ଆଇନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ କରିଛନ୍ତି ମୋଦୀ । ଏହାସହ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା ।

ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ ।ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ୱେ ସେମାନଙ୍କୁ ବୁଝାଯାଇ ପାରିନଥିଲା ନାହିଁ । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିବା ମୋଦି ଘୋଷଣା କରିଛନ୍ତି ।

ତେବେ କୃଷି ଆଇନ ପାରିତ ହେବା ଠାରୁ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ କଣ ଥିଲା ପୂରା ଘଟଣାକ୍ରମ ତାହା ଉପରେ ଥରେ ନଜର ପକାନ୍ତୁ ।

– ୧୭ ସେପ୍ଟେମ୍ବର ୨୦୨୦ରେ ଲୋକସଭାରେ ଏହି କୃଷି ଆଇନ ପାରିତ ହୋଇଥିଲା

– ୨୦ ସେପ୍ଟେମ୍ବରରେ ରାଜ୍ୟସଭାରେ ନୂଆ କୃଷି ଆଇନ ପାରିତ

– ୨୮ ସେପ୍ଟେମ୍ବରରେ ନୂଆ କୃଷି ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

– ଅକ୍ଟୋବରରେ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ

– ନଭେମ୍ବରରେ ଏହି ନୂଆ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀଙ୍କ ଆନ୍ଦୋଳନ ଡାକରା,  ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି । ୨୫ ନଭେମ୍ବରରେ ଦିଲ୍ଲୀ ଚାଲୋ ଡାକରା ଦେଇ ହଜାର ହଜାର ଚାଷୀଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରା ।

– ଡିସେମ୍ବର ୩ରେ ସରକାର-ଚାଷୀଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ ଆଲୋଚନା

– ଡିସେମ୍ବର ୧୧ରେ ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ଭାରତୀୟ କିଷାନ ୟୁନିୟନ

– ସରକାର-ଚାଷୀ ସଙ୍ଗଠନ ମଧ୍ୟରେ ପ୍ରାୟ ୧୧ ରାଉଣ୍ଡ ଆଲୋଚନା ପରେ ବି ବାହାରିଲାନି ନିଷ୍କର୍ସ

– ଜାନୁଆରୀ ୨୪ରେ ଟ୍ରାକ୍ଟର ରାଲି ପାଇଁ ଚାଷୀଙ୍କୁ ଦିଲ୍ଲୀ ପୋଲିସର ଅନୁମତି

– ଜାନୁଆରୀ ୨୬ରେ ଶହ ଶହ ଚାଷୀଙ୍କ ଟ୍ରାକ୍ଟର ରାଲି ମାଧ୍ୟମରେ ବିରୋଧ ପ୍ରଦର୍ଶନ

– ନିର୍ଦ୍ଧାରିତ ରୁଟ ବାହାରେ ଏହି ଟ୍ରାକ୍ଟରେ ରାଲି ଦିଲ୍ଲୀର ଆଇଟିଓ, ଲାଲକିଲ୍ଲା ସମେତ ଭିନ୍ନ ଭିନ୍ନ ଅଞ୍ଚଳ ଅଭିମୁଖେ ବାହାରିଲା । ଫଳରେ ବିଭିନ୍ନ ସ୍ଥାନରେ ହିଂସା ଓ ଉପଦ୍ରବ ଦେଖିବାକୁ ମିଳିଲା ।

– ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବାକୁ ନେଇ ବିବାଦ ଦେଖାଦେଲା, ପୋଲିସ ହିଂସାକାଣ୍ଡ ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଥିଲା

– ୨୬ ଜାନୁଆରୀରେ ହୋଇଥିବା ହିଂସା କାରଣରୁ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡିଯିବାର ଆଶଙ୍କା ସୃଷ୍ଟି ହେଲା । ଅନେକ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ହଟିଲେ ।

– ୨୮ ଜାନୁଆରୀରେ କିଷାନ ୟୁନିୟନର ନେତା ରାକେଶ ଟିକାୟତ ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ ବେଳେ  କାନ୍ଦି ପକାଇଲେ । ଆଉ ଏହା ପୁଣିଥରେ ଆନ୍ଦୋଳନକୁ ସଞ୍ଜିବନୀ ଯୋଗାଇଲା । ପୁଣିଥରେ ଗାଜିପୁର ସୀମା ଅଭିମୁଖେ ଛୁଟିଲା ଚାଷୀଙ୍କ ସୁଅ ।

– ଏହି ଅନ୍ଦୋଳନକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସର୍ମଥନ ମିଳିଲା ।  କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଅଭିନେତା, ନେତାଙ୍କ ଠାରୁ ଚାଷୀ ଆନ୍ଦୋଳନକୁ ସମର୍ଥନ ମିଳିଲା । ଏପରିକି ଶିଶୁ ସୁରକ୍ଷା କର୍ମୀ ଗ୍ରେଟା ଥନବର୍ଗ ଚାଷୀ ଆନ୍ଦୋଳନ ସମର୍ଥନରେ ଟ୍ୱିଟ୍ କରିବା ଏହି ଆନ୍ଦୋଳନର ମୋଡକୁ ବଦଳାଇଥିଲା ।

– ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ନିର୍ବାଚନ ବେଳେ ଚାଷୀ ନେତା ବିଭିନ୍ନ ରାଜ୍ୟ ବୁଲିବା ସହ ବିଜେପି ସପକ୍ଷରେ ଭୋଟ ନ କରିବାକୁ ଲୋକଙ୍କୁ ଅପିଲ କରିଥିଲେ । ଏପରିକି ବିଭିନ୍ନ ରାଜ୍ୟ ବୁଲି ରାଲି କରିଥିଲେ ଚାଷୀ ନେତା । ଆଉ ଏହାର ପ୍ରଭାବ ମଧ୍ୟ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବଚନରେ ଦେଖିବାକୁ ମିଳିଲା । ଖାସକରି ଫୋକସରେ ଥିବା ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା ଲାଗିଥିଲା ।

– ଜୁଲାଇରେ ସଂସଦର ମୌସୁମୀ ଅଧିବେଶନ ବସିଥିବା ବେଳେ ବିରୋଧୀ ମାନେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କଲେ । ଏପରିକି ଏଥିପାଇଁ ସଂସଦରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କଲେ ।

– ଏହି ଆଇନ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ମହାପଞ୍ଚାୟତସ୍ତରକୁ ନିଆଯାଇଥିଲା । ବିଭିନ୍ନ ସ୍ଥାନରେ ମହାପଞ୍ଚାୟତ କରି ସରକାରଙ୍କୁ ବିରୋଧ କରାଗଲା ।

– କୃଷି ଆଇନ ସପର୍ଥନରେ ବାହାରିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ସତ୍ୟପାଲ । କୃଷି ଆଇନ ପ୍ରତ୍ୟାହାର ନକଲେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିବ, ଏପରିକି ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିର କୌଣସି ନେତା ଚାଷୀଙ୍କ ନିକଟକୁ ଯାଇପାରିବେ ନାହିଁ ବୋଲି ରୋକଠୋକ କହିଥିଲେ ।

– ୨୧ ଅକ୍ଟୋବରରେ ଚାଷୀ ଆନ୍ଦୋଳନକୁ ନେଇ ବନ୍ଦ ପଡିଥିବା ରାସ୍ତା ଖୋଲିବା ପାଇଁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନର ଶୁଣାଣି ଆରମ୍ଭ । ଆନ୍ଦୋଳନ କରିବା ଚାଷୀଙ୍କର ହକ୍ କିନ୍ତୁ ଏଥିପାଇଁ ରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ । କୃଷି ଆଇନ ପ୍ରତ୍ୟାହାର ପାଇଁ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ।

– ୧୯ ନଭେମ୍ବର ୨୦୨୧ : ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ଘୋଷଣା ।

ଅନ୍ୟପଟେ କୃଷି ଆନ୍ଦୋଳନର ମଙ୍ଗ ଧରିଥିବା ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଆମେ ସଙ୍ଗେ ସଙ୍ଗେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ଯେବେ ଏହି କୃଷି ଆଇନକୁ ବିଧିବଦ୍ଧ ଭାବେ ରଦ୍ଦ କରାଯିବ ସେତେବେଳେ ଏହି ଆନ୍ଦୋଳନରୁ ହଟିବୁ । ଏହାଛଡା ସରକାର ଏମଏସପି ସହ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ।