ଆର୍ମଡ ଡିସିପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । କହିଲେ, ଯୁବତୀ ଯୋଗାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ କରୁଥିଲେ ବାଧ୍ୟ ।

216

କନକ ବ୍ୟୁରୋ : ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ଆର୍ମଡ ଡିସିପିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି କମିଶନରେଟ ପୁଲିସରେ ଫେରାଦ ହୋଇଛନ୍ତି ସିପାହୀଙ୍କ ପତ୍ନୀ । ପୁଲିସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗୁରୁତର ସହ ନେଇଛି କମିଶନରେଟ ପୁଲିସ ।

ସିପାହୀ ନିହାର ରଞ୍ଜନ ନାୟକ ଚରମ ନିଷ୍ପତି ନେଇଥିଲେ ଆଉ ବଂଚିବେ ନାହିଁ । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନିହାର । କିନ୍ତୁ ଏହି ଆତ୍ମହତ୍ୟା ଉଦ୍ୟମର କାରଣ କଣ ଥିଲା ଆପଣ ଶୁଣିବେ, ଆଶ୍ଚର୍ଯ୍ୟ ହୋଇଯିବେ । ଆର୍ମଡ ଡିଭିଜନର ଡିସିପି ବିଜୟ କୁମାର ସାହୁ । ପୁଲିସ କମାଣ୍ଡାଣ୍ଟ ଅଛନ୍ତି । ସେ କୁଆଡେ ଭାରି ପାୱାରଫୁଲ । ତାଙ୍କ କଥା ନ ମାନିଲେ କିଛି ବି କରିପାରନ୍ତି । ସବୁ ଜୁନିଅରଙ୍କର ଏହି ବାବୁଙ୍କୁ ପ୍ରବଳ ଭୟ । ଆଉ ଏହି ବାବୁ ଯାହା ଅର୍ଡର କରନ୍ତି ତାହା ଯୋଗାଇବା ବି ମୁସ୍କିଲ । ନିହାରଙ୍କୁ ବାଧ୍ୟ କରିଥିଲେ ଯୁବତୀ ଆଣିବା ପାଇଁ । ଆଉ ନିରୀହ ନିହାର ତାଙ୍କଠାରୁ ବଞ୍ଚିବାକୁ ବାଟ ପାଇନଥିଲେ ।

ଆତ୍ମହତ୍ୟା ଉଦ୍ୟମ କରିଥିବା ନିହାର ଟେଲରିଂ ସେକ୍ସନ ଦାୟିତ୍ୱରେ ଅଛନ୍ତି । ସେଠାରେ ୨୦ଜଣରୁ ଅଧିକ ମହିଳା ଷ୍ଟାଫ୍ କାମ କରନ୍ତି । ସେହିମାନଙ୍କ ଭିତରୁ କାହାକୁ ତାଙ୍କ ପାଖକୁ ପଠାଇବାକୁ ଅର୍ଡର କରିଥିଲେ ବିଜୟ । ସେପଟେ ଅଭିଯୁକ୍ତ ବିଜୟ ସାହୁ ବଞ୍ଚିବା ପାଇଁ ବାଟ ଖୋଜୁଛନ୍ତି । ପୁରା କଥାକୁ ହାଲକାରେ ଉଡାଇଦେବାକୁ ଚେଷ୍ଟା କରିଛନ୍ତି । ଯେହେତୁ ବିଜୟ ସାହୁ ଜଣେ ପ୍ରଭାବଶାଳୀ ପୁଲିସ ଅଧିକାରୀ, ଏହି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଆବଶ୍ୟକ । ନହେଲେ ନିହାରଙ୍କ ପରି ନିରୀହ ସିପାହୀମାନେ ଏଭଳି ଅନୈତିକ କାମ କରିବେ ଏବଂ ନ କରିପାରିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ।