କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଅଲି ଶାହ ଗିଲାନୀଙ୍କ ଦେହାନ୍ତ । କାଶ୍ମୀରରେ ସୁରକ୍ଷା କଡାକଡି । ପାକିସ୍ତାନରେ ଦିନିକିଆ ଶୋକ ଦିବସ ଘୋଷଣା

310

କନକ ବ୍ୟୁରୋ: କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଅଲି ଶାହ ଗିଲାନିଙ୍କର ପରଲୋକ ହୋଇଛି । ବୁଧବାର ରାତି ପାଖାପାଖି ସାଢେ ୧୦ଟାରେ ଶ୍ରୀନଗର ହାଇଦରପଡା ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ୨୦ ବର୍ଷ ଧରି ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । କିଛି ଦିନ ଧରି ଅସୁସ୍ଥତା କାରଣରୁ ଲୋକ ଲୋଚନକୁ ଆସୁନଥିଲେ । ଗିଲାନୀଙ୍କ ମୃୃତ୍ୟୁରେ ପାକିସ୍ତାନରେ ଦିନିକିଆ ଶୋକ ଦିବସ ଘୋଷଣା କରିଛନ୍ତି ଇମ୍ରାନ୍ ସରକାର ।

ଗିଲାନୀଙ୍କ ମୃତ୍ୟୁ ପରେ କାଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି ।୧୯୨୯ ସେପ୍ଟେମ୍ବର ୨୯ ତାରିଖରେ ଜନ୍ମ ହୋଇଥିବା ଗିଲାନୀ ଭାରତୀୟ କେନ୍ଦ୍ର ଶାସିତ ଅଂଚଳ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଥିଲେ । ଜମାତ୍-ଏ- ଇସ୍ଲାମି କାଶ୍ମୀର ଦଳର ସଦସ୍ୟ ରହିବା ସହ ତେହରିକ-ଏ- ହୁରିୟାତ୍ ନାମକ ଦଳ ଗଠନ କରିଥିାଲେ । ସେ କ୍ରମାଗତ ଭାବେ ୧୯୭୨, ୧୯୭୭,୧୯୮୭ରେ ଜାମ୍ମୁ-କାଶ୍ମୀରର ସୋପୋର୍ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୦ରେ ବିଭିନ୍ନ ଦଙ୍ଗାରେ ସମ୍ପୃକ୍ତ ଥିବା ନେଇ ତାଙ୍କୁ ବିଦ୍ରୋହୀ ଘୋଷଣା କରାଯିବା ପରେ ସେ ଗୃହବନ୍ଦୀ ଭାବେ ଥିଲେ । ସବୁଠୁ ଗୁରୁତ୍ୱପୂୁର୍ଣ୍ଣ କଥା ହେଲା ସେ ଆତଙ୍କବାଦୀକୁ ସମର୍ଥନ କରୁଥିବାରୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଥିଲା । ୨୦୨୦ରେ ଗିଲାନୀଙ୍କୁ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ’ ନିଶନ-ଏ-ପାକିସ୍ତାନ’ରେ ସମ୍ମାନୀତ କରାଯାଇଥିଲା । ତାଙ୍କର ମୃତ୍ୟୁରେ ପାକିସ୍ତାନରେ ଦିନକ ପାଇଁ ଶୋକ ଦିବସ ଘୋଷଣା କରାଯାଇଛି ।