କନକ ବ୍ୟୁରୋ : ଗ୍ୟାଙ୍ଗୱାରର କରୁଣ ପରିଣତି । ଆଖିବୁଜା ଗୁଳିମାଡରେ ଆହତ ଯୁବକଙ୍କ ମୃତ୍ୟୁ । ରାଉରକେଲାରେ ରେଲୱେ କଲୋନୀରେ ଘଟିଥିଲା ଏହି ଗୁଳିକାଣ୍ଡ । ସୂଚନା ଅନୁସାରେ ଜିତେନ୍ଦ୍ରଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ତାଙ୍କ ଉପରକୁ ୪ରୁ ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ଆଇଜିଏଚ ଆଇସିୟୁରେ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ ।
ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରି ଏସ୍ପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁଳିକାଣ୍ଡ ଘଟଣାରେ ଅମିତ ନାମକ ଯୁବକକୁ ଅଟକ ରଖାଯାଇଛି। ଅନ୍ୟ ୪ ଯୁବକ ଫେରାର ଅଛନ୍ତି । ସେମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଶ୍ରୀ ଭାମୁ କହିଛନ୍ତି । ସେପଯେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଅତିରିକ୍ତ ଏସ୍ପି ସଂଗ୍ରାମ କେଶରୀ ବେହେରା ଓ ପ୍ଲାଣ୍ଟସାଇଟ୍ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ଓ ଆଇଜିଏଚ୍ରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ସେପଟେ ଗୁଳିମାରି ଫେରାର ହୋଇ ଯାଇଥିବା ଯୁବକମାନଙ୍କୁ ଧରିବାକୁ ପୁଲିସ ସହରର ପ୍ରମୁଖ ଛକ ଓ ବାହାର ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରି ଯାଞ୍ଚ ଚଳାଇଛି ।
ଜିତେନ୍ଦ୍ର ସାହା ପରିବାର ସହ ରେଲୱେ କଲୋନି ରିମ୍ଝିମ୍ ବସ୍ତିରେ ରହନ୍ତ। ସ୍ଥାନୀୟ ଲୋକଙ୍କ କହିବାମୁତାବକ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଘରେ ଆଗରେ ଗଣେଶ ପୂଜା ହେଉଥିବାରୁ ଜିତେନ୍ଦ୍ର, ତାଙ୍କ ମାଉସୀ ଲକ୍ଷ୍ମୀ ଦେବୀ ଓ ପରିବାର ଅନ୍ୟ ସଦସ୍ୟମାନେ ସେଠାରେ ଛିଡା ହୋଇଥିଲେ । ହଠାତ୍ ୩ଟି ମୋଟରବାଇକ୍ରେ ୫-୬ ଜଣ ଯୁବକ ପହଞ୍ଚି ଜିତେନ୍ଦ୍ରଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ । ଜିତେନ୍ଦ୍ରଙ୍କ ହାତ, ଛାତି, କାନ୍ଧ ଓ ପାଖରେ ଛିଡା ହୋଇଥିବା ଲକ୍ଷ୍ମୀ ଦେବୀଙ୍କ ଗୋଡରେ ଗୁଳି ବାଜିବାରୁ ଦୁହେଁ ବେହୋସ ହୋଇ ତଳେ ପଡିଯାଇଥିଲେ ।
ଉଲ୍ଲେଖନୀୟ ଯେ ଗତ ୨୦୨୦ ଜୁନ୍ ୭ ରେଲୱେ କଲୋନି ବଡ ପାର୍କରେ ଦିଲ୍ସାଦ୍ ଖାନ ହତ୍ୟା ଘଟଣାରେ ଜିତେନ୍ଦ୍ର ଗିରଫ ହୋଇ ଜେଲ ଯାଇଥିଲେ। ଏହା ପୂର୍ବରୁ ବାସନ୍ତୀ କଲୋନିରେ ପୂର୍ବତନ କାଉନ୍ସିଲ୍ର ବୁଲୁ ମହାନ୍ତିଙ୍କୁ ଦିଲ୍ସାଦ୍ ଖାନ୍ ଓ ତାଙ୍କର କିଛି ସହଯୋଗୀ ବୋତଲବୋମା ଫିଙ୍ଗି ହତ୍ୟା ଉଦ୍ୟମ କରିଥିଲେ। ମାତ୍ର ବୁଲୁ ମହାନ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଉଲ୍ଳେଖଯୋଗ୍ୟ, ଦିଲ୍ସାଦ୍ ଖାନ୍ ହତ୍ୟା ଘଟଣାରେ ଜିତେନ୍ଦ୍ର ଓ ସରୋଜଙ୍କ ସମେତ ୯ରୁ ଅଧିକ ଅଭିଯୁକ୍ତଙ୍କୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ମାସ ଜେଲ୍ରେ ରହିବାପରେ ସେ ଜାମିନରେ ଆସିଛନ୍ତି। ଦିଲ୍ସାଦ ଓ ଜିତେନ୍ଦ୍ର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଥିବା ଶତ୍ରୁତାର ପ୍ରତିଶୋଧ ନେବାକୁ ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀମାନେ ପିଟି ପିଟି ଦିଲ୍ସାଦ ଖାଁଙ୍କୁ ହତ୍ୟା କରିଥିଲେ ବୋଲି ତତ୍କାଳୀନ ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।