୬ ମାସ ଭିତରେ ସେୟାର ବଜାରରେ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ, ନିବେଶକଙ୍କ ଡୁବିଗଲା ୪.୮୦ ଲକ୍ଷ କୋଟି ଟଙ୍କା

181

କନକ ବ୍ୟୁରୋ : ପୂର୍ବ କିଛିଦିନ ହେବ ଚାପରେ ଥିବା ସେୟାର ବଜାର ଆଜି ଭୂଷୁଡି ପଡିଛି । ୬ ମାସ ମଧ୍ୟରେ ସେନସେକ୍ସ ଆଜି ସର୍ବନିମ୍ନ ସ୍ତରରେ ପହଂଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ଆଜି ଗୋଟିଏ ଦିନରେ ୧୧୫୮ ପଏଣ୍ଟ ଅର୍ଥାତ ୧.୮୯ ପ୍ରତିଶତ ତଳକୁ ଖସି ୫୯.୯୮୪ ଅଙ୍କରେ ବନ୍ଦ ହୋଇଛି ।

ସୂଚନା ମୁତାବକ ଗୁରୁବାରଦିନ ଷ୍ଟକ ଏକ୍ସଚେଞ୍ଜ ଖୋଲିବା କ୍ଷଣି ସେନସେକ୍ସ ଖସିବା ଆରମ୍ଭ କରିଥିଲା । ଦିନ ଯେତେ ବଢୁଥିବା ସେନସେକ୍ସ ସେତେ ତଳକୁ ଖସୁଥିଲା । କାରବାର ଶେଷରେ ନିଫ୍ଟ ୩୫୩ ଅଙ୍କ ତଳକୁ ଖସି ୧୭,୮୫୭ ଅଙ୍କରେ ବନ୍ଦ ହୋଇଥିଲା । ଯଦି ଚଳିତମାସର କାରବାରକୁ ହିସାବ କରାଯିବ ତେବେ ନିଫ୍ଟ ପୂର୍ବ ୨୦ ଦିନ ମଧ୍ୟରେ ସବୁଠାରୁ ଅଧିକ ଆଜି ତଳକୁ ଖସିଛି ।

ଅନ୍ୟପଟେ ଗୁରୁବାର ଦିନ ସେନସେକ୍ସ ବଡ ଧରଣର ତଳକୁ ଖସିଛି । ଆଜି ସେନସେକ୍ସ ୧୧୫୮ ପଏଣ୍ଟ ତଳକୁ ଖସି ୫୯.୯୮୪ ରେ ପହଂଚିଛି । ଏହା ପୂର୍ବରୁ ଏପ୍ରିଲ ୧୨ ତାରିଖରେ ସେନସେକ୍ସ ଗୋଟିଏ ଦିନରେ ୧୭୦୦ ପଏଣ୍ଟ ତଳକୁ ଖସିଥିଲା । ଆଜି ସେନସେକ୍ସ ଏଭଳି ଭାବେ ତଳକୁ ଖସିବା ପରେ ନିବେଶକ ମାନଙ୍କୁ ବଡ ଝଟକା ଲାଗିଛି । କେବଳ ଆଜି ମାର୍କେଟ୍ କ୍ୟାପରେ ନିବେଶ କରିଥିବା ଲୋକଙ୍କ ୪.୮୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ଆଜିର ଏଭଳି ସ୍ଥିତିରେ ସବୁଠାରୁ ଅଧିକ ସରକାରୀ କମ୍ପାନୀମାନଙ୍କର ସେୟାର ମୂଲ୍ୟ ତଳକୁ ଖସିଛି । ତଳକୁ ଖସିଥିବା ସେୟାର ମଧ୍ୟରେ ସବୁଠାରୁ ଅଧିକ ଆଦାନୀ ପୋର୍ଟର ସେୟାର ପାଖା ପାଖି ୮ ପ୍ରତିଶତ ଖସିଛି । ସେହିଭଳି ଆଇଟିସିର ସେୟାର ୫.୬୦ ପ୍ରତିଶତ, ରିଲିଆନ୍ସ ସେୟାର ୧.୨୬ ପ୍ରତିଶତ ଓ ଟିସିଏସର ସେୟାର ୧.୮୫ ପ୍ରତିଶତ ତଳକୁ ଖସି ବନ୍ଦ ହୋଇଛି ।