କନକ ବ୍ୟୁରୋ : କରୋନା କାଳରେ ସେୟାର ବଜାରକୁ ନେଇ ଆସିଛି ଖୁସି ଖବର । ଏବେ ନୂଆ ରେକର୍ଡ ସ୍ତରକୁ ସ୍ପର୍ଶ କରିଛି ଭାରତୀୟ ସେୟାର ବଜାର । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ବିଏସଇ ୫୦ ହଜାର ପଏଂଟ ଛୁଇଁଛି । ଆଜିର କାରବାର ଆରମ୍ଭ ହେବା ପରେ ଦିନ ୧୦ଟା ୧୫ ବେଳକୁ ସେନସେକ୍ସ ୨୫୫ ପଏଂଟ ବୃଦ୍ଧି ପାଇ ୫୦ ହଜାର ପଏଂଟ ଅତିକ୍ରମ କରିଥିଲା । ଏହାସହ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ, ନିଫ୍ଟି ମଧ୍ୟ ୧୫ ହଜାର ପଏଂଟର ପାଖାପାଖି ହୋଇଛି ।

Advertisment

ଆମେରିକାରେ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଶପଥ ଗ୍ରହଣ ପରେ ଅନ୍ତର୍ଜାତୀୟ ବଜାରରେ ଉତ୍ସାହ ଦେଖାଦେଇଛି, ଆଉ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାର ଉପରେ ପଡ଼ିଛି । ଆଗକୁ ଆମେରିକାରେ ନୂଆ ଆର୍ଥିକ ପ୍ୟାକେଜ୍ ଘୋଷଣା ହେବାର ସମ୍ଭାବନା ଥିବାରୁ, ଏହା ନିବେଶକଙ୍କ ମନୋବଳ ବୃଦ୍ଧି କରିଛି । ଫଳରେ ସେୟାର ବଜାର କାରବାର ବୃଦ୍ଧି ପାଇ ପଏଂଟରେ ମଧ୍ୟ ଉନ୍ନତି ଦେଖାଦେଇଛି । ଦେଶରେ କରୋନା ସ୍ଥିତି ଶୀର୍ଷରେ ଥିବା ବେଳେ ସେନସେକ୍ସ ନିମ୍ନଗାମୀ ହୋଇଥିଲା, ଏପରିକି ୩୦ ହଜାର ତଳକୁ ଖସିଯାଇଥିଲା ବିଏସଇ ସୂଚକାଙ୍କ ।

ତେବେ ଦେଶରେ କରୋନା ସ୍ଥିତିରେ ସୁଧାର ସହ ସେନସେକ୍ସରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି । ଏହାସହ ବଜାରକୁ କରୋନା ଟିକା ଆସିଯିବା ମଧ୍ୟ ପ୍ରଭାବ ପକାଇଛି । ୧୯୮୬ରେ ପ୍ରତିଷ୍ଠା ହୋଇଥିବା ବମ୍ବେ ଷ୍ଟକ ଏକ୍ସଚେଂଜ ଭାରତର ସବୁଠୁ ପୁରୁଣା ଏକ୍ସଚେଂଜ । ଏଥିରେ ନାମୀଦାମୀ ୩୦ଟି ଷ୍ଟକର କାରବାର ହୋଇଥାଏ ।