ସେୟାର ବଜାର ଉପରେ କରୋନା ମାଡ । ୧୬ଶହ ପଏଂଟ ତଳକୁ ଖସିଲା ସେନସେକ୍ସ, ନିଫଟି ୧୦ ହଜାର ୫୫୦ ତଳକୁ ହ୍ରାସ

184

କନକ ବ୍ୟୁରୋ: ଖସିଲା ସେୟାର ବଜାର । ସେୟାର ବଜାର ଉପରେ ପଡ଼ିଲା କରୋନା ସଂକ୍ରମଣର ପ୍ରଭାବ । କରୋନା ଭୁତାଣୁ କ୍ରମାଗତ ଭାବେ ବିଶ୍ୱସ୍ତରୀୟ ଆର୍ଥିକ ମାନ୍ଦାବସ୍ଥାର କାରଣ ହୋଇଛି । ଆଜି ବଜାର ଖୋଲିବା ପରେ ସେନସେକ୍ସ ୧୬ଶହ ପଏଂଟ ଖସିବା ସହିତ କ୍ରାସ୍ ହୋଇଛି । ନିପଟି ମଧ୍ୟ ୪୫୩ ପଏଂଟ କମି ୧୦ ହଜାର ୫୫୦କୁ ଖସି ଆସିଛି ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗଭାବେ ଅଶୋଧିତ ତୈଳ ଦରରେ ଅଚାନକ ହ୍ରାସ ପରିଲଖିତ ହୋଇଛି । ପ୍ରାୟ ୨୭ ପ୍ରତିଶତ କମିଛି ଅଶୋଧିତ ତୈଳ ଦର । ଇଟାଲୀରେ କରୋନା ଯୋଗୁଁ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ସେୟାର ବଜାରକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ଓଏନଜିସି, ଇଣ୍ଡସିଇଣ୍ଡ ବ୍ୟାଙ୍କ, ପାୱାର ଗ୍ରିଡ଼, ରିଲାଏନ୍ସ ଇଣ୍ଡଷ୍ଟ୍ରି ଓ ଟାଟା ଷ୍ଟିଲ ଭଳି ସେୟାର ମୂଲ୍ୟରେ ଅବନତୀ ହୋଇଛି ।

ଏପଟେ ଦିନକୁ ଦିନ କରୋନା ଭୂତାଣୁ ଭାରତରେ କାୟା ବିସ୍ତାର କରି ଚାଲିଛି । କେରଳରେ ଆଜି ଏକ ୩ ବର୍ଷ ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନିକଟରେ ଇଟାଲୀରୁ ଫେରିଥିବା ଏହି ଶିଶୁର ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ଏର୍ଣ୍ଣାକୁଲମ ମେଡିକାଲ କଲେଜର ଆସୋଲେସନ ୱାର୍ଡରେ କରୋନା ଆକ୍ରାନ୍ତ ଶିକ୍ରୁ ଚିକିତ୍ସା କରାଯାଉଛି । କେରଳରେ ୩ ବର୍ଷ ଶିଶୁଙ୍କ ଦେହରେ କରୋନା ଭୂତାଣୁ ଠାବ ହେବା ପରେ ଭାରତରେ ଆକ୍ରାନ୍ତ ସଂଖ୍ୟା ୪୧ କୁ ବୃଦ୍ଧି ହୋଇଛି । ଗତକାଲି କେରଳର ଗୋଟିଏ ପରିବାରର ୫ ଜଣଙ୍କ ସାମ୍ପଲ ପଜିଟିଭ୍ ଆସିଥିଲା ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିିକିତ୍ସା କରାଯାଉଛି । ଏହାଛଡା ୫ ଜଣଙ୍କ ସହିତ କେଉଁ କେଉଁ ଲୋକଙ୍କ ସହିତ ସମ୍ପର୍କରେ ଆସିଥିଲେ ଏବେ ସେମାନଙ୍କୁ ନେଇ ଛାନଭିନ୍ ଆରମ୍ଭ ହୋଇଛି । ଭାରତରେ ଥିବା ୪୧ ଆକ୍ରାନ୍ତଙ୍କ ମଧ୍ୟରୁ ଶେଷ ଖବର ସୁଦ୍ଧା କେରଳରେ ୬ ଜଣ, ତାମିଲନାଡୁରେ ୨, ଆଗ୍ରାରେ ୬ ଜଣ, ଦିଲ୍ଲୀରେ ୩ ଜଣ , ନୋଏଡା, ଗାଜିଆବାଦ ଓ ତେଲେଙ୍ଗାନାରେ ଗୋଟିଏ କରୋନା ରୋଗୀଙ୍କ ଚିକିତ୍ସା କରୋନା ଆଇସୋଲେସନ ୱାର୍ଡରେ ଚାଲିଛି ।