କନକ ବ୍ୟୁରୋ : ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ଅବକାରୀ ନୀତିରେ କେଜ୍ରିୱାଲ ସରକାର କିଭଳି ଦୁର୍ନୀତି କରିଛନ୍ତି ସେନେଇ ବିଜେପି ପକ୍ଷରୁ ଏକ ଷ୍ଟିଙ୍ଗ ଅପରେସନର ଭିଡିଓ ଜାରି କରିଛି । ବିଜେପି ଦାବି କରିଛି କି ଏହି ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବକାରୀ ଦୁର୍ନୀତିର ୯ ନମ୍ବର ଅଭିଯୁକ୍ତ ଅମିତ ଆରୋଡା । ଏହି ଭିଡିଓ ଜାରି କରି ବିଜେପି କହିଛି କି ଏବେ କେଜ୍ରିୱାଲର ପୋଲ ଖୋଲିଗଲା ।

Advertisment

ଏହି ଭିଡିଓକୁ ନେଇ ବୁଧବାର ଦିନ ବିଜେପି ରାଜ୍ୟସଭା ସାଂସଦ ସୁଧାଂସୁ ତ୍ରିବେଦୀ ଓ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୁଧାଂସୁ ତ୍ରିବେଦୀ କହିଛନ୍ତି କି କେଜ୍ରିୱାଲ ସରକାର ଯେଭଳି ଭାବେ ଅବକାରୀ ନୀତିରେ ଦୁର୍ନୀତି କରିଛନ୍ତି ତାହାର ପୋଲ ଖୋଲି ଦେଇଛନ୍ତି ଏହି ମାମଲାର ୯ ନମ୍ବର ଅଭିଯୁକ୍ତ ଅମିତ ଆରୋଡା । ଏହି ଭିଡିଓରେ ଦେଖିବାକୁ ମିଳିଛି କି ମଦ ଲାଇସେନ୍ସ ଦେବାରେ କାହା ଠାରୁ କେତେ ଲାଂଚ ନିଆଯାଇଛି ତାହା ଅମିତ ଆରୋଡା କହୁଛନ୍ତି ।

ଏନେଇ ସୁଧାଂସୁ ତ୍ରିବେଦୀ କହିଛନ୍ତି କି ଅବକାରୀ ନୀତିରେ ଦୁର୍ନୀତି କରି ଆପ୍ ଯେଉଁ ଅର୍ଥ ଯୋଗାଡ କରିଥିଲା ତାହାକୁ ଦଳ ପଞ୍ଜାବ ଓ ଓ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି ।

ସେପଟେ ବିଜେପିର ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ । ଏକ ସାମ୍ବାଦିକ ସମ୍ମିଳନୀ କରି ସିସୋଦିଆ କହିଛନ୍ତି କି, ଯେତେବେଳେ ଇଡି ଓ ସିବିଆଇ ଲଗାଇ କିଛି ଫଳ ନମିଳିଲା ଏବେ ଷ୍ଟିଙ୍ଗ ଭିଡିଓର ସହାରା ନେଇଛି ବିଜେପି । ଏହାସହ ଯଦି ଏହି ଷ୍ଟିଙ୍ଗ ଭିଡିଓକୁ ବିଜେପି ତୁରନ୍ତ ସିବିଆଇ ନିକଟରେ ଜମା କରାନ୍ତୁ । ଯଦି ସିବିଆଇ ଏହି ଭିଡିଓରୁ କିଛି ସତ୍ୟତା ପାଇବ ତେବେ ମୋତେ ୪ ଦିନ ଭିତରେ ଗିରଫ କରାଯାଉ । ନହେଲେ ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଷଡଯନ୍ତ୍ର ବୋଲି ଗ୍ରହଣ କରାଯିବ ଓ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କ୍ଷମା ପ୍ରାଥନା ଦାବି କରାଯିବ ।