ସାକ୍ଷୀଗୋପାଳ ମନ୍ଦିରରେ ମାରପିଟ୍ । ବରିଷ୍ଠ ସେବାୟତଙ୍କୁ ମାରି ଲହୁଲୁହାଣ କଲେ ୨ ଅଣସେବାୟତ ।

494

କନକ ବ୍ୟୁରୋ: ପିପିଲି ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ । ସଭା ମଝିରେ ବରିଷ୍ଠ ସେବାୟତଙ୍କୁ ପିଟିଲେ ଅଣ ସେବାୟକ । ସାକ୍ଷୀଗୋପାଳ ଠାକୁରଙ୍କ ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ୨ ଜଣ ଅଣ ସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ କୃଷ୍ଣଚନ୍ଦ୍ର ମହାପାତ୍ର ଓ କିର୍ତ୍ତିରଞ୍ଜନ ମହାପାତ୍ର ।

ଗତକାଲି ସେବାୟତଙ୍କ ବୈଠକ ଚାଲିଥିବାବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ସେବାୟତଙ୍କ ବୈଠକ ସମୟରେ ସଂଘ ଦ୍ୱାରା ପରିଚାଳିତ ଏକ ବେଆଇନ୍ କାମକୁ ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ନେଇ ସେବାୟତ ସଂଘର ସଭାପତି ଓ ସଂପାଦକ ଆଲୋଚନା କରିବା ସମୟରେ ହଠାତ୍ କୃଷ୍ଣଚନ୍ଦ୍ର ଓ କିର୍ତି ରଂଜନ, କିଶୋରଙ୍କୁ ଆକ୍ରମଣ କରିଥିଲେ । ସେମାନେ ସେବାୟତ ହୋଇ ନଥିଲେ ବି ମନ୍ଦିରର ସେବାୟତ କହି ଶ୍ରଦ୍ଧାଳୁଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବୈଠକରେ ଆଲୋଚନାବେଳେ କିଶୋରଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।