ବିଜେପିକୁ ଫେରିଲେ ବିଜୟ ମହାପାତ୍ର । କହିଲେ, ପୁରୁଣା କଥା ଭୁଲି ଆଗକୁ ବଢ଼ିବାକୁ ନେଇଛନ୍ତି ସଂକଳ୍ପ

ବିଜେପି ନେତା କହିଲେ, ଗ୍ରହଣ ହୋଇନଥିଲା ବିଜୟଙ୍କ ଇସ୍ତଫାପତ୍ର, ଅତନୁ କହିଲେ ପଡିବନି ପ୍ରଭାବ;କେଉଁଠୁ ଲଢ଼ିବେ ନିର୍ବାଚନ, ଆରମ୍ଭ ହେଲା ଚର୍ଚ୍ଚା

141

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘର ବାହୁଡାକୁ ନେଇ ଜୋରଦାର ଚର୍ଚ୍ଚା । ବିଜେପିକୁ ଫେରିଲେ ବିଜୟ ମହାପାତ୍ର । ପୁରୁଣା କଥା ଭୁଲି ନୂଆ ସଂକଳ୍ପ ନେଇ ଗେରୁଆ ଶିବିରକୁ ଫେରିଥିବା କହିଛନ୍ତି ବିଜୟ । ଦଳ ଯେଉଁଠୁ ଚାହିଁବ ସେ ସେହିଠାରୁ ନିର୍ବାଚନ ଲଢିବେ । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କ ସହ ଫୋନର କଥା ହୋଇଥିବା କହିଛନ୍ତି ବିଜୟ ।

ବିଜେପିକୁ ବିଜୟ ମହାପାତ୍ରଙ୍କ ଘର ବାହୁଡା । ଇସ୍ତଫା ଦେବାର ମାତ୍ର ୪ ମାସ ପରେ ପୁଣି ବିଜେପିକୁ ଫେରିଆସିଛନ୍ତି ବିଜୟ । ଦଳର ସବୁ ବରିଷ୍ଠ ନେତା ଅରୁଣ ସିଂ, ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତୃବର୍ଗଙ୍କ ଉପସ୍ଥିତିରେ ବିଜେପିରେ ପୁଣି ଥରେ ସାମିଲ ହୋଇଛନ୍ତି । କିନ୍ତୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଯେତେବେଳେ ସାମିଲ ହେଉଥିଲେ ସେତେବେଳେ ପୁରୁଣା କଥା ଉପରେ ମଧ୍ୟ ନଜର ରହିଥିଲା । କାରଣ ପାର୍ଟି ଛାଡିବା ବେଳେ ଧର୍ମେନ୍ଦ୍ରଙ୍କୁ ଇଶାରା କରି ଅଭିଯୋଗ ଆଣିଥିଲେ ବିଜୟ । ଆଉ ଆଜି ଧର୍ମେନ୍ଦ୍ର ଓ ବିଜୟ ପାଖାପାଖି ବସିନଥିଲେ, ମଝିରେ ଥିଲେ ବିଶ୍ୱଭୂଷଣ ।

ଗତ ନଭେମ୍ବର ୩୦ ତାରିଖରେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଏକାଠି ଇସ୍ତଫା ଦେଇ କହିଥିଲେ, ମହାନଦୀ ପ୍ରସଙ୍ଗ ହେଉ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କିମ୍ବା ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ହେଉ, କୌଣସି କାମ ହୋଇ ପାରିଲା ନାହିଁ । ଏଥିସହ ଲେଖିଥିଲେ, ଦଳର ଆସବାବପତ୍ର ହିସାବରେ ତାଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ । କିନ୍ତୁ କୁହାଯାଏ ରାଜନୀତିରେ କେହି ସବୁ ଦିନ ପାଇଁ ଶତ୍ରୁ କିମ୍ବା କେହି ସବୁଦିନ ପାଇଁ ମିତ୍ର ରୁହନ୍ତି ନାହିଁ । ବିଜୟ କହିଛନ୍ତି ସେସବୁ କଥା ସେ ଭୁଲି ଯାଇଛନ୍ତି ।