କନକ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ରାତିରେ ଶେଷ କଥା ହୋଇଥିଲେ, କିନ୍ତୁ ସକାଳୁ ସକାଳୁ ଜୀବନ ଚାଲିଯିବ ବୋଲି କେହି ଜାଣିନଥିଲେ । ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ରଥଯାତ୍ରା ବୋଲି ସକାଳୁ ସଅଳ ଉଠି ବାହାରିଯାଇଥିଲେ ପୁରୀ ଅଭିମୁଖେ । କିନ୍ତୁ କିଏ ଜାଣିଥିଲା ଏ ବର୍ଷର ରଥଯାତ୍ରା ତାଙ୍କ ଜୀବନର ଶେଷ ରଥଯାତ୍ରା ହେବ ବୋଲି । ରଥଯାତ୍ରାର ମ୍ୟାଜିକ ମୋମେଣ୍ଟସ୍କୁ କ୍ୟାମେରାରେ ତୋଳି ଧରିବା ପାଇଁ ବ୍ୟଗ୍ର ହୋଇ ପୁରୀ ଯାଉଥିବାବେଳେ ଏହି ଅଘଟଣ ଘଟିଛି ।

ବାଇକରେ ପୁରୀ ଅଭିମୁଖେ ଯାଉଥାନ୍ତି ଅଶୋକ । ବିଳମ୍ବ ହେଲେ ଭିଡ ବଢିଯିବ ,ଏମିତି ବି ଆଶଙ୍କା ଥିବ । ଅବଶ୍ୟ ସେହି ସମୟରେ ପ୍ରକୃତରେ କଣ ଘଟିଲା ତାହା କେହି ଦେଖିନାହାନ୍ତି । କିନ୍ତୁ ପାଖରେ ଥିବା ଲୋକ ଏବଂ ତାଙ୍କୁ ଉଠାଇ ହସ୍ପିଟାଲକୁ ନେଇଥିବା ଲୋକଙ୍କ କହିବା ଅନୁସାରେ ଅଶୋକଙ୍କ ବାଇକ୍ର ଚକ ସ୍କିଡ କରିଯାଇଥବ ଫଳରେ ତାଙ୍କ ବାଇକ ସିଧାଯାଇ ଡିଭାଇଡରରେ ମାଡ ହୋଇଥିବ । ଏହି ମାଡ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳକୁ ଦେଖିଲେ ଏହା ସହଜରେ ଅନୁମାନ କରିହେଉଥିଲା ।

ସ୍ଥାନୀୟ ଦୈନିକ ଖବରକାଗଜ ଓ ଅନେକ ଜାତୀୟ ଖବରକାଗଜ ସଂସ୍ଥା ସହ ମଧ୍ୟ କାମ କରିଛନ୍ତି ଅଶୋକ । ଫଟୋ ପାଇଁ ଏମିତି ନିଶା ଥିଲା ଯେ ଖାଇବା ପିଇବା ସବୁ ଭୁଲିିଯାଉଥିଲେ । ତାଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଶୋକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।