କନକ ବ୍ୟୁରୋ : ଏବେ ବି ସନ୍ଦେହ ଘେରରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ । ମୃତ୍ୟୁର କାରଣ ନେଇ ପୁଲିସ ଛାନଭିନ କରୁଛି । ଗତକାଲି ମନିଷଙ୍କ ମୃତଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ପୋଖରୀରୁ ମିଳିଥିଲା । ଶନିବାର ରାତି ପ୍ରାୟ ୧୧ଟାରୁ ସେ ନିଖୋଜ ଥିଲେ । ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଂଚଳରୁ ମନିଷଙ୍କୁ କେହି ଅପହରଣ କରି ନେଇଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ । ତାଙ୍କୁ ଦୁଇ ଯୁବକ ଉଠାଇ ନେବା ସହ ମାରପିଟ୍ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ଇନଫୋସିଟି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ପାତ୍ରପଡାରୁ ଠାବ ହୋଇଥିଲା ମନିଷଙ୍କ ମୃତ ଦେହବ । ମନିଷଙ୍କ ମୃତ ଦେହ ମିଳିବା ପରେ ତମାଣ୍ଡୋ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ମନିଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
ରବିବାର ଅପରାହ୍ଣ ପ୍ରାୟ ୧ଟା ବେଳେ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁ ନମ୍ରକାନି ପୋଖରୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ପୁଲିସକୁ ଜଣାଇଥିଲେ । ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ପରେ ଇନ୍ଫୋସିଟି ଥାନା ପୁଲିସ ଓ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ମୃତଦେହଟି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ଗୁଡ଼ୁଙ୍କର ବୋଲି ଜଣାପଡ଼ିଥିଲା । ଖବର ପାଇ ନବୀନ ଦାସ ସେଠାରେ ପହଞ୍ଚିବା ପରେ ମୃତଦେହ ଚିହ୍ନଟ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପାଣିରୁ ମୃତଦେହକୁ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସକୁ ପଠାଯାଇଥିଲା । ମୃତଦେହ ପଞ୍ଚନାମା କରାଯାଇଥିଲା ଓ ଭିସେରା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ସେହିଭଳି ଡାୟଟମ୍ ପରୀକ୍ଷା ପାଇଁ ପୋଖରୀରୁ ପାଣି ସଂଗ୍ରହ କରାଯାଇଛି ।
ଗୁଡ଼ୁ ବାହାଘର ଡ୍ରେସ୍ କିଣିବା ପାଇଁ ବଜାର ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ । ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଜଣେ ସାଙ୍ଗର ଢାବାରେ ବସିଥିଲେ। ରାତି ପ୍ରାୟ ୧୧ଟା ବେଳେ ସେ ଘରକୁ ଫୋନ୍ କରିଥିଲେ ଓ ଫେରିବା ବିଳମ୍ବ ହେବ ବୋଲି କହିଥିଲେ । ପୁଣି କିଛି ସମୟ ପରେ ସେ ମା’ଙ୍କୁ ଫୋନ୍ କରି ତାଙ୍କୁ ଅପହରଣ କରାଯାଇଛି ବୋଲି କହିଥିଲେ । ଏମିତିକି ଟଙ୍କା ଦାବି କରି ଅପହରଣକାରୀମାନେ ତାଙ୍କୁ ମାର୍ପିଟି କରୁଛନ୍ତି ବୋଲି କହିଥିଲେ । ତେଣୁ ତୁରନ୍ତ ଟଙ୍କା ପଠାଇବାକୁ ସେ ମା’ଙ୍କୁ ଆକୁଳ ନିବେଦନ କରିଥିଲେ । ଏଭଳି ଖବର ପାଇବା ପରେ ତୁରନ୍ତ ପରିବାର ପକ୍ଷରୁ ୧୧୨ କୁ ଯୋଗାଯୋଗ କରିବା ସହ ଇନ୍ଫୋସିଟି ଥାନାକୁ ମଧ୍ୟ ଜଣାଇ ଦିଆଯାଇଥିଲା । ପୁଲିସ ଗୁଡ଼ୁଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରିବା ଆରମ୍ଭ କରିଥିଲା । ସେତେବେଳକୁ ଉକ୍ତ ଫୋନ୍ ତମାଣ୍ଡୋ ଥାନା ଅଞ୍ଚଳରେ ସକ୍ରିୟ ଥିବା ଜଣାପଡ଼ିଥିଲା ।
ତେଣୁ ପରିବାର ପକ୍ଷରୁ ତମାଣ୍ଡୋ ଥାନା ପୁଲିସ ସହ ଯୋଗାଯୋଗ କରାଯାଇଥିଲା । ଏହା ଭିତରେ ଗୁଡ଼ୁଙ୍କ ମା’ ମଧ୍ୟ ଅନ୍ଲାଇନ୍ ଜରିଆରେ ଦୁଇଟି ପର୍ଯ୍ୟାୟରେ କିଛି ଟଙ୍କା ପଠାଇଥିଲେ । ଭୋର୍ ପ୍ରାୟ ୪ଟାରେ ଶେଷ ଥର ପାଇଁ ସେ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ ବୋଲି କୁହାଯାଉଛି । ଏମିତିକି ଗୁଡ଼ୁଙ୍କ ଜଣେ ସାଙ୍ଗ ମଧ୍ୟ ଫୋନ୍ରେ କଥା ହୋଇଥିଲା ଓ ସେ ଗୁଡ଼ୁକୁ ନେଇ ଘରେ ପହଞ୍ଚାଇବ ବୋଲି କହିଥିଲା । ତେବେ କିଛି ସମୟ ପରେ ଗୁଡୁଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ତେଣୁ ପରିବାର ଲୋକେ ସନ୍ଦେହ କରି ତୁରନ୍ତ ଇନ୍ଫୋସିଟି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ଉକ୍ତ ଢାବା ପାଖରୁ ଗୁଡୁଙ୍କ କାର୍ ଠାବ ହୋଇଥିଲା ।
ଗୁଡ଼ୁ କାହା ସହିତ କାର୍ରେ ଯାଇଥିଲେ, ତାକୁ ଠାବ କରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି । ସେହିଭଳି ଫୋନ୍ରେ ପରିବାର ଲୋକଙ୍କ ସହ କଥା ହୋଇଥିବା ଗୁଡୁଙ୍କ ବନ୍ଧୁ ଜଣକ କିଏ, ତାକୁ ବି ପୁଲିସ ଖୋଜୁଛି । ଇନ୍ଫୋସିଟି ଥାନାର ଏକ ଟିମ୍ ଓ ସ୍ପେସାଲ୍ ସ୍କ୍ବାଡ୍ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି । ସୂତ୍ର ମୁତାବକ, ଗୁଡ଼ୁ ସନ୍ଧ୍ୟା ବେଳେ ବସିଥିବା ଢାବାର ମାଲିକଙ୍କୁ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି । ଏହା ସହିତ ସ୍ଥାନୀୟ ଅଞ୍ଚଳର ଏକାଧିକ ସିସି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି । ଗୁଡ଼ୁଙ୍କୁ ନେଇ ପାତ୍ରପଡ଼ା ଅଭିମୁଖେ ଯାଇଥିବା କାର୍ର ପତ୍ତା ପାଇବା ପାଇଁ ପୁଲିସ ପାତ୍ରପଡ଼ା ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ କରାଯାଉଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ଖୁବ୍ ଶୀଘ୍ର ମାମଲାର ପର୍ଦ୍ଦାଫାସ୍ କରାଯିବ ।