ଅଧ୍ୟକ୍ଷ ପଦ ଛାଡିବା ଜିଦରେ ରାହୁଲ । ମନାଇବାରେ ବିଫଳ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନଶନରେ ବସିଲେ କର୍ମୀ ।

169

କନକ ବ୍ୟୁରୋ : ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ । ଆଜି ଦିଲ୍ଲୀରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାହୁଲଙ୍କୁ ମନାଇ ପାରିନାହାନ୍ତି । ୨ଘଂଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ରାହୁଲ । ତାଙ୍କ ସହ ସାକ୍ଷାତ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରତିକ୍ର୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ନେତା ଓ କର୍ମୀଙ୍କ ଭାବନାକୁ ରାହୁଲଙ୍କ ସମ୍ମୁଖରେ ରଖାଯାଇଛି ଏବଂ ସେ ଆଶା କରୁଛନ୍ତି ରାହୁଲ ଏନେଇ ଚିନ୍ତା କରି ନିଷ୍ପତି ନେବେ । ସେପଟେ ରାହୁଲ ଗାନ୍ଧୀଙ୍କୁ ମନାଇବାକୁ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଦଳୀୟ କର୍ମୀ ।

ଲୋକସଭା ନିର୍ବାଚନରେ ଦଳର ପରାଜୟକୁ ଭୁଲି ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବି ରାହୁଲଙ୍କୁ ମନାଇବାରେ ବିଫଳ ହୋଇଛନ୍ତି । ଗେହଲଟ୍ ଟ୍ୱିଟ୍ କରି ଲେଖିଥିଲେ ଯେ, ବର୍ତମାନ ପରିସ୍ଥିତିରେ କେବଳ ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ତୁଲାଇ ପାରିବେ । ଦେଶ ଓ ଦେଶବାସୀଙ୍କ ପ୍ରତି ସେ ପ୍ରତିବଦ୍ଧ । କିନ୍ତୁ ଲାଗୁଛି ରାହୁଲ ମାନିବାକୁ ରାଜି ନୁହଁନ୍ତି । ସେ ଇସ୍ତଫା ଦେବା ଜିଦରେ ଅଟଳ ଅଛନ୍ତି । ରାହୁଲ ଏହା ମଧ୍ୟ କହିଥିଲେ ଯେ ସେ ଇସ୍ତଫା ପ୍ରସ୍ତାବ ଦେବା ପରେ କୌଣସି ନେତା ଇସ୍ତଫା କିମ୍ବା ପରାଜୟ ପାଇଁ ନିଜକୁ ଦାୟୀ କରିନଥିଲେ । ଏହାପରେ କଂଗ୍ରେସର ଅନେକ ନେତା ନିଜ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଏଥିରେ କୌଣସି ବଡ ଚେହେରା ସାମିଲ ନଥିଲା ।

ସେପଟେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ବିରୋଧ କରି ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବାହାରେ କଂଗ୍ରେସ କର୍ମୀ ହାତରେ ପ୍ଲାକାର୍ଡ ଧରି ରାହୁଲ ଗାନ୍ଧିଙ୍କ ସପକ୍ଷରେ ନାରାବାଜି କରି ଧାରଣାରେ ବସିଛନ୍ତି । ଲୋକସଭା ନିର୍ବାଚନ ଫଳାଫଳ ପରେ ଇସ୍ତଫା ପ୍ରସ୍ତାବ ଦେଇଛନ୍ତି ରାହୁଲ । ଦଳରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦେବାକୁ ରାହୁଲ ଦଳକୁ ଅନୁରୋଧ କରିଛନ୍ତି । ରାହୁଲଙ୍କୁ ମନାଇବାକୁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଥିଲେ ବି ଏହା ସଫଳ ହୋଇନାହିଁ । ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ସିଡବ୍ଲୁସି ବୈଠକରେ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବଂ ସେବେଠାରୁ ସେ ନିଜ ଜିଦରେ ଅଟଳ ଅଛନ୍ତି ।