ବିହାର ଲଢ଼େଇରେ ବରିଷ୍ଠ ବନାମ କନିଷ୍ଠ । ନୀତିଶ କୁମାରଙ୍କୁ କଡ଼ା ଟକ୍କର ଦେଉଛନ୍ତି ତେଜସ୍ୱୀ ଯାଦବ, ମୈଦାନରେ ଦୁଇଟି ପୀଢ଼ିର ନେତା । ନିଯୁକ୍ତି ପ୍ରସଙ୍ଗ ନେଇ ନୀତିଶ କୁମାରଙ୍କ କଟାକ୍ଷର ଜବାବ୍ ରଖିଲେ ତେଜସ୍ୱୀ, ଦେଲେ ୧୦ ଲକ୍ଷ ଚାକିରିର ହିସାବ ।

132

କନକ ବ୍ୟୁରୋ : ସାରା ଦେଶରେ ଏବେ ବିହାର ନିର୍ବାଚନକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ଜଣେ ଅଭିଜ୍ଞ ରାଜନେତା ବନାମ ରାଜନୀତିରେ କନିଷ୍ଠ ତେଜସ୍ୱୀ ଯାଦବ । ବାପା ଲାଲୁ ପ୍ରସାଦ ଯାଦବ ଏକଦା ନୀତିଶଙ୍କ ବନ୍ଧୁ ଥିଲେ, ପରବର୍ତି ସମୟରେ କ୍ଷମତା ପାଇଁ ଦୁହିଁଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଛି । ଏବେ ଲାଲୁ ଜେଲରେ ଆଉ ନୀତିଶଙ୍କୁ କଡା ଟକର ଦେବାକୁ ବାହାରିଛନ୍ତି ତେଜସ୍ୱୀ । ତେଜସ୍ୱୀଙ୍କ ରାଲିରେ ଲୋକଙ୍କ ଭିଡ ନୀତିଶଙ୍କ ନିଦ ହଜାଇ ଦେଇଛି ।

ନୀତିଶ ସରକାରରେ ଦିନେ ଉପମୁଖ୍ୟମନ୍ତ୍ରୀ ଥିବା ଲାଲୁଙ୍କ ପୁଅ ତେଜସ୍ୱୀ ଏବେ ବିହାର ମଇଦାନରେ ଦେଉଛନ୍ତି କଡା ମୁକାବିଲା । ମହାମେଂଟ କ୍ଷମତାକୁ ଆସିଲେ ରାଜ୍ୟର ଯୁବବର୍ଗଙ୍କୁ ୧୦ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ତେଜସ୍ୱୀ । ଆରଜେଡି ନେତାଙ୍କ ଏହି ମନଲୋଭ ପ୍ରତିଶ୍ରୁତି ତାଙ୍କ ସଭା ମଂଚ ନିକଟକୁ ଲୋକଙ୍କୁ ଟାଣି ଆଣୁଛି । ଏହି ଭିଡ ଭୋଟରେ ପରିବର୍ତନ ହେବା ଆଶଙ୍କାରେ ବିଚଳିତ ହୋଇପଡିଛନ୍ତି ସୁଶାସନ ବାବୁ । ତେଜସ୍ୱୀଙ୍କ ଚାକିରୀ ପ୍ରତିଶ୍ରୁତିକୁ ଧୁଆଁବାଣ କହି ଟାର୍ଗେଟ କରିଛନ୍ତି ନୀତିଶ ।

ଆରଜେଡି ମେନିଫେଷ୍ଟୋ ଦେଇଥିବା ଚାକିରି ପ୍ରତିଶ୍ରୁତିକୁ ଇସ୍ତାହାର ଆକାରରେ ପ୍ରକାଶ କରିଛି ଆରଜେଡି । ଘୋଷଣାପତ୍ରକୁ ଉନ୍ମୋଚନ କରି ନୀତିଶ ପଚାରିଥିବା ପ୍ରଶ୍ନର ଉତର ରଖିଛନ୍ତି ତେଜସ୍ୱୀ ଯାଦବ । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟରେ ସାଢେ ୪ଲକ୍ଷ ସରକାରୀ ଚାକିରି ପଦ ଖାଲି ରହିଛି । ମହାମେଂଟ କ୍ଷମତାକୁ ଆସିଲେ ଏହାକୁ ପୂରଣ କରିବା ସହ ଅତିରିକ୍ତ ସାଢେ ୫ଲକ୍ଷ ପଦବୀ ସୃଷ୍ଟି କରାଯିବ । ମହାମେଂଟ ସରକାରର ପ୍ରଥମ କ୍ୟାବିନେଟ ୧୦ଲକ୍ଷ ଚାକିରୀରେ ମୋହର ମାରିବ ।

୧୦ଲକ୍ଷ ଚାକିରି ପାଇଁ ପଇସା କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଥିଲେ ନୀତିଶ । ତେଜସ୍ୱୀ କହିଛନ୍ତି ଦୁଇ ଲକ୍ଷ ତେର ହଜାର କୋଟିର ରାଜ୍ୟ ବଜେଟରେ ଏଥିପାଇଁ ପର୍ଯ୍ୟାପ୍ତ ଟଙ୍କା ରହିଛି ।

ମହାମେଂଟ ବିରୋଧରେ ବିଜେପି ଓ ଜେଡିୟୁର ମିଳିତ ଆକ୍ରମଣକୁ ଏକାକି କାଉଂଟର କରୁଛନ୍ତି ଆରଜେଡିର ଏହି ଯୁବନେତା । ୧୦ଲକ୍ଷ ଚାକିରି ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ନୀତିଶ ପ୍ରଶ୍ନ କରୁଥିବା ବେଳେ ୧୯ଲକ୍ଷ ଚାକିରି ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି । ତେଣୁ ସେହି ଚାକିରି ପ୍ରସଙ୍ଗରେ ଉଭୟ ବିଜେପି ଓ ନୀତିଶଙ୍କୁ ଜୋରଦାର ଘେରିଛନ୍ତି ତେଜସ୍ୱୀ ।