ନିର୍ବାଚନ ଲଢ଼ିବେନି ଶ୍ରୀକାନ୍ତ ଜେନା । ନିଷ୍ପତି ପଛର କାରଣ କ’ଣ ? ଭୟ ନା ରାଜନୈତିକ ବାଧ୍ୟବାଧକତା ।

208

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । କଂଗ୍ରେସରୁ ବହିଷ୍କୃତ ହେବା ପରେ ଶ୍ରାକାନ୍ତଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିଲା ଯେଉଁଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ଶ୍ରୀକାନ୍ତ । କେନ୍ଦ୍ରାପଡ଼ା ଗରାପୁର ଡାକ ବଙ୍ଗଳାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀକାନ୍ତ କହିଛନ୍ତି ଯେ, ରାଜନୀତିରେ ରହିବେ କିନ୍ତୁ ଆଉ ନିର୍ବାଚନ ଲଢିବେ ନାହିଁ । ତେବେ ଶ୍ରୀକାନ୍ତ ଏଭଳି ବୟାନ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

ଅନ୍ୟପଟେ କେଉଁ କାରଣରୁ ଶ୍ରୀକାନ୍ତ ଆସନ୍ତା ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । କିନ୍ତୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଗତ ନିର୍ବାଚନରେ ଶ୍ରୀକାନ୍ତ ପରାଜିତ ହୋଇଥିଲେ । ଏବେ ଶ୍ରୀକାନ୍ତ ନିଜକୁ ପ୍ରତ୍ୟେକ୍ଷ ରାଜନୀତିରୁ ଦୁରେଇ ରଖୁଛନ୍ତି । ଏପରିକି ତାଙ୍କ ମନରେ କେଉଁଠି ନା କେଉଁଠି ଆଗାମୀ ନିର୍ବାନରେ ପରାଜିତ ହେବାରେ ଭୟ ରହିଥିବାରୁ ଏଭଳି ନିଷ୍ପତି ନେଇଛନ୍ତି ଶ୍ରୀକାନ୍ତ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସ ଦଳରେ ରହି ଶ୍ରୀକାନ୍ତ ଦଳ ବିରୋଧୀ କାର୍ଯ୍ୟକରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଦଳର ବରିଷ୍ଠ ନେତାଗଣ । ପରେ ପରେ ଏହି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଲା ଏବଂ ଗତ ଜାନୁୟାରୀ ୧୯ ତାରିଖରେ ଦଳରୁ ବିଦା ହୋଇଥିଲେ ଏହି ହେଭିୱେଟ୍ ନେତା । ତେବେ ଏହାପରେ ତାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ଏବେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀକାନ୍ତ ।