ମିଳିଲା କି ଧାମନଗର ବିଜୟର ଭେଟି ? ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ମୁଖିଆ । ସମୀରଙ୍କ ସ୍ଥାନରେ ମନମୋହନ ସମ୍ଭାଳିବେ ସଭାପତି ପଦ ।

192

କନକ ବ୍ୟୁରୋ: ରାଜ୍ୟ ବିଜେପିର ନୂଆ ମୁଖିଆ ମନମୋହନ । ନିର୍ବାଚନ ପୂର୍ବରୁ ବିଜେପି ବଦଳାଇଲା ବ୍ରିଗେଡ୍ । ପ୍ରଥମେ କ୍ଷେତ୍ରୀୟ ପ୍ରଭାରୀ ନିଯକ୍ତ ହେବା, ବିରୋଧୀ ଦଳ ନେତା ବଦଳିବା ଓ ତା’ପରେ ହଠାତ ଦଳର ସଭାପତି ପରିବର୍ତ୍ତନ ହୋଇଛନ୍ତି । ସମସ୍ତେ ବେଶ ଆକ୍ରମଣାତ୍ନକ ନେତା ଭାବେ ଜଣାଶୁଣା । ୨୦୦୦ରୁ ୨୦୦୯ ମେଣ୍ଟ ସରକାରରେ ଅନ୍ୟତମ ପାୱାରଫୁଲ ନେତା ମନମୋହନ ସାମଲ ହୋଇଛନ୍ତି ରାଜ୍ୟ ବିଜେପିର ନୂଆ ସଭାପତି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି-ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ତେଜିବା ଆରମ୍ଭ ହୋଇଛି । ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ଏହି ସମୟରେ ରାଜ୍ୟ ବିଜେପିର ବ୍ରିଗେଡ ବଦଳାଇଛନ୍ତି ବିଜେପି ସଭାପତି ଜେ.ପି ନଡ୍ଡା ।

ଜଣେ ଟାଣୁଆ ନେତା, ଦୃଢ ସଙ୍ଗଠକ ଭାବେ ପରିଚିତ ରାଜ୍ୟ ରାଜନୀତିର ଏହି ପୁରୁଖା ନେତାଙ୍କୁ ଦଳର ମଙ୍ଗୁଆଳ ଦାୟିତ୍ୱ ଦେଇ କେନ୍ଦ୍ର ବିଜେପି, ଶାସକ ଦଳ ବିଜେଡି ସହ ଆଗକୁ ଜୋରଦାର ଲଢେଇ ହେବାର ବାର୍ତ୍ତା ଦେଇଛି । ମେଣ୍ଟରୁ ଓହରିବା ପରେ ବିଜେପିର ସ୍ଥିତି ଦୁର୍ବଳ ହୋଇଛି । ଏପରି ସ୍ଥିତିରେ ମୋଦି-ଶାହା ଓଡିଶାରେ ମନମୋହନଙ୍କୁ ଦଳର ନେତା କରିଛନ୍ତି । ଆଉ ନୂଆ ଦାୟିତ୍ୱ ଘୋଷଣା ପରେ ମନମୋହନ ମଧ୍ୟ ନିଜ ପ୍ରତିକ୍ରିୟାରେ ସିଧା ସିଧା ଶାସକ ଦଳକୁ ଟାର୍ଗେଟ କରିଛନ୍ତି ।

ଶାହଙ୍କ ଗସ୍ତ ପୂର୍ବରୁ ବଦଳିଲା ବିଜେପିର ନେତୃତ୍ୱ । ମନମୋହନଙ୍କୁ ଧାମନଗର ବିଜୟର ପୁରସ୍କାର ଦେଲା ବିଜେପି । ଧାମନଗର ଉପନିର୍ବାଚନ ବିଜୟ ପରେ ସବୁଠୁ ଅଧିକ ଉତ୍ସାହିତ ହୋଇଥିଲେ ବିଜେପି ନେତା । ୨୦୧୯ ପରେ ମଧ୍ୟ ଅନେକ ଉପନିର୍ବାଚନ ହୋଇଛି । ବିଜେପି ଗଡରେ ବିଜେଡି ବାଜିମାତ କରି ସିଧାସିଧା ବିଜେପିକୁ ପଛକୁ ଠେଲିଦେଇଥିଲା । ଏପରି ସ୍ଥିତିରେ ଧାମନଗରରେ ମଧ୍ୟ ବିଜେପିର ବିଜୟ ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ନିର୍ବାଚନ ପୂର୍ବରୁ କ୍ଷେତ୍ରୀୟ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ସୁନୀଲ ବଂଶଲଙ୍କ ରଣନୀତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତିକୁ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟକାରୀ କରି ମନମୋହନ ସାମଲ ଧାମନଗରରେ ଗେରୁଆ ଝଣ୍ଡାକୁ ଫର ଫର କରି ଉଡାଇଥିଲେ । ଯାହାକୁ ଆଗାମୀ ଦିନରେ ରାଜନୀତିରେ ମଡେଲ ଭାବେ ଗ୍ରହଣ କରି ବିଜେପି ନିର୍ବାଚନ ଲଢିବ ବୋଲି କହୁଛି । ହେଲେ ବିଜେପିର ଏହି ଉତ୍ସାହକୁ କଟାକ୍ଷ କରିଛନ୍ତି ଶାସକ ଦଳର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ରାଜନୀତିରେ ଗୋଟିଏ ବଡ ଅଭିଜ୍ଞତା ସହିତ ସଂଘ ପରିବାର ସହ ଜଡିତ ଅଛନ୍ତି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲା ଯାହାକୁ ପ୍ରୟୋଗ କରି ବିଜେଡି ଭଳି ଦଳ ବିରୋଧରେ ପ୍ରୟୋଗ କରି ବିଜେପି ସଫଳ ହେବ ବୋଲି ଆଶା ରଖିଛି ।