୧୯ କୁରୁକ୍ଷେତ୍ର ପାଇଁ ବିଜେପିକୁ ଲୋଡ଼ା ବିଜୟଙ୍କ ସାଥ୍ । ବିଜୟଙ୍କୁ ଘର ବାହୁଡା଼ଇବା ପାଇଁ ଆଜି ରାତିରେ ବସିବ ଚୂଡ଼ାନ୍ତ ବୈଠକ ।

364

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜନୀତି ପାଣିପାଗ ସେତେ ବଦଳିବାରେ ଲାଗିଛି । ଆଉ ରାଜନୀତି ସମୀକରଣ କେତେବେଳେ କ’ଣ ହେବ ତାହା ଆକଳନ କରିବା ମୁସ୍କିଲ । ଏହାର ଉଦାହରଣ ହେଉଛି ଯେ, ନିକଟରେ ବିଜେପିକୁ ବାଏ ବାଏ କହିଥିବା ରାଜ୍ୟ ରାଜନୀତିର ଟାଣୁଆ ନେତା ବିଜୟ ମହାପାତ୍ର ପୁଣି ଘର ବାହୁଡ଼ିବେ ବୋଲି ଶୁଣିବାକୁ ମିଳୁଛି । ଆଉ ବିଜୟଙ୍କୁ ମନାଇବା ପାଇଁ ଆଜି ରାତିରେ ଚୂଡ଼ାନ୍ତ ବୈଠକ ବସିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ବିଜେପିକୁ ପୁଣି ବିଜୟ ଫେରିବେ କି ନାହିଁ ତାକୁ ନେଇ ରାଜ୍ୟ ବିଜେପି ହେଭିୱେଟ୍ ଆଜି ରାତିରେ ଗୁପ୍ତମନ୍ତ୍ରଣା କରିବେ । ଏହାପରେ ବିଜୟଙ୍କୁ ବିଜେପି ଫେରାଇ ଆଣିବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

ଗତ କିଛି ଦିନ ତଳେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ କହିଥିଲେ ବିଜୟ ଏବଂ ଦିଲୀପ ଉଭୟ ବିଜେପିକୁ ଫେରିବେ ଏହାପରେ ରାଜ୍ୟରାଜନୀତିରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ୨୦୧୯ ନିର୍ବାଚନୀ କୁରୁକ୍ଷେତ୍ରରେ ବିଜୟ ହାସଲ କରିବା ପାଇଁ ବିଜେପିକୁ ଲୋଡ଼ା ବିଜୟଙ୍କ ସାଥ୍ । ତେଣୁ ପୂର୍ବରୁ କୋଣଠେସା କରିଥିବା ଏହି ଟାଣୁଆ ନେତାଙ୍କୁ ମନାଇବା ପାଇଁ ବଳ କଷୁଛି ବିଜେପି । ଏପରିକି ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ ବିଜୟଙ୍କ ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଥିଲା । ସେପଟେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ମଧ୍ୟ ବିଜେପିକୁ ବିଜୟ ଫେରିବା ନେଇ ଦେଇଥିବା ବୟାନ ହଟଚମଟ ସୃଷ୍ଟି କରିଥିଲା । ଗୋଲକ କହିଥିଲେ ଯେ, ବିଜୟ ବାବୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନାହିଁ । ତେଣୁ ଖୁବଶୀଘ୍ର ଭଲ ଖବର ଶୁଣିବେ ବୋଲି କହିଥିଲେ ଗୋଲକ ।

ବିଜେପି ଛାଡିବା ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ଅନ୍ୟ କୌଣସି ଦଳରେ ଯୋଗ ଦେଇନାହାନ୍ତି । ଦିଲୀପ ରାୟ ବିଜେଡିରେ ଯୋଗଦେବା ନେଇ କୋଣସି ଅସୁବିଧା ନଥିଲାବେଳେ ବିଜୟ ମହାପାତ୍ରଙ୍କୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି । ଫଳରେ ଉଭୟ ବିଜେଡିରେ ଯୋଗ ଦେବା ସମ୍ଭବ ହୋଇପାରୁନାହିଁ । ତେଣୁ ଉଭୟ ନେତା ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଯାହାର ସ୍ପଷ୍ଟ ଚିତ୍ର ଆଜି ରାତି ସୁଦ୍ଧା ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି ।