ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କ ପରଲୋକ । ରାଜନୈତିକ ସମୀକ୍ଷା ଦେଇଥିଲା ବସନ୍ତଙ୍କୁ ସ୍ୱତନ୍ତ୍ର ପରିଚୟ ।

81

କନକ ବ୍ୟୁରୋ: ବସନ୍ତ ଦାସ, ଜଣେ ସାମ୍ବାଦିକ ଓ ସ୍ତମ୍ବକାର ଭାବେ ତାଙ୍କର ଯେତିକି ଖ୍ୟାତି ଥିଲା, ସେତିକି ସୁନାମ ଅର୍ଜନ କରିଥିଲେ ଓଡ଼ିଶା ରାଜନୀତିର ଇତିହାସ ଲେଖି । ଉଭୟ ଓଡିଆ ଏବଂ ଇଂରାଜୀ ସାମ୍ବାଦିକତା ସହ ଓଡିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ ।

୧୯୬୫ ମସିହାରେ ଇଂରାଜୀ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତ୍ତି । ଶେଷ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ସାମ୍ବାଦିକତା କ୍ଷେତ୍ରରେ ।  ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ସମେତ ୧୬ଟି ପୁସ୍ତକ ରଚନା କରିଛନ୍ତି ବସନ୍ତ ଦାସ । ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା, ତାଙ୍କର ବହୁ ପଠିତ ଓ ବହୁ ଆଦୃତ ପୁସ୍ତକ।

ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସାହିତ୍ୟ ଓ ସାମ୍ବାଦିକ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ତାଙ୍କର ଅନେକ ବନ୍ଧୁ ଏବେ ତାଙ୍କୁ ଏକା କରି ତାଙ୍କ ପାଖରୁ ଦୁରେଇ ଯାଉଛନ୍ତି । ଯାହ ତାଙ୍କୁ ଦୁଃଖ ଦେବା ସହ ଅତ୍ୟନ୍ତ ମର୍ମାହିତ କରିଛି । ସେହିପରି ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୁଷଣ ହରିଚନ୍ଦନ ମଧ୍ୟ ବସନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ବସନ୍ତ ଦାସଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Comments are closed.