ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ଜଳଦଙ୍କ ନାଁରେ ମୋହର ମାରିଲେ ରାଜ୍ୟପାଳ । 

158

କନକ ବ୍ୟୁରୋ : ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ଜଳଦ ତ୍ରିପାଠୀଙ୍କ ନାଁରେ ମୋହର ମାରିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୫ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଜଳଦ ତ୍ରିପାଠୀ । ପୂର୍ବରୁ ମଧ୍ୟ ତାମିଲନାଡୁର ଡିଜି ଭାବେ ସେ ଦାୟିତ୍ୱ ତୁଲାଇସାରିଛନ୍ତି ।

ତେବେ ପୂର୍ବତନ ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ଗ୍ରହଣ କରିଥିଲେ । ଏବଂ ଏହା ପୂର୍ବରୁ ଜୁନ୍ ମାସରେ ଏହି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଜୁଲାଇ ୩୧ ତାରିଖ ସୁଦ୍ଧା ଆଗ୍ରହୀ ବ୍ୟକ୍ତିମାନେ ଆବେଦନ କରିବାକୁ କୁହାଯାଇଥିଲା । ତେବେ ଶେଷରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଜଳଦ କୁମାର ତ୍ରିପାଠୀଙ୍କ ନାଁରେ ମୋହର ବାଜିଛି ।

ସୂଚନାଯୋଗ୍ୟ ଯେ ୨୦୦୫ ନଭେମ୍ବର ମାସରୁ ରାଜ୍ୟ ସୂଚନା କମିସନ କାର୍ଯ୍ୟକ୍ଷମ ହେଲା ପରେ ତିନି ଜଣ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିଛନ୍ତି । ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଡି ଏନ୍ ପାଢ଼ୀ ପ୍ରଥମ ମୁଖ୍ୟ ସୂଚନା କମିସନର୍ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏହି ପଦବିରେ ଅବସ୍ଥାପିତ ହୋଇଥିଲେ । ଶ୍ରୀ ମିଶ୍ରଙ୍କ ପରେ ଅବସରପ୍ରାପ୍ତ ଆଇଆର୍‌ଏସ୍‌ ଅଫିସର ସୁନିଲ ମିଶ୍ର ମୁଖ୍ୟ ସୂଚନା କମିସନର୍ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସରେ ଅବସର ଗ୍ରହଣ କରିଛନ୍ତି ।