ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ବଡ ଦାୟିତ୍ୱ । ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ମିଳିଲା ଦାୟିତ୍ୱ ।

370

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ବଡ ଦାୟିତ୍ୱ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବ ଏହି ପଦ ସମ୍ଭାଳିବେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ପଦରେ ଅଛନ୍ତି ଆଇଏଏସ୍ ବୀର ବିକ୍ରମ ଯାଦବ । ବର୍ତ୍ତମାନ ଏହି ଦାୟିତ୍ୱ ସହିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରେ ଥିବା ଆଇଏଏସ୍ କ୍ରିଷନ୍ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା । ଏହାପରେ ପରବର୍ତ୍ତୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଏ ହେବ ତାକୁ ନେଇ ଅନେକ ଆଲୋଚନା ପ୍ରକାଶ ପାଇଥିଲା । ଏହାରି ଭିତରେ ଶନିବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯିବା ସହିତ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ଏହି ବଡ ଦାୟିତ୍ୱ ପ୍ରଦାନ କରାଯାଇଛି ।