କନକ ବ୍ୟୁରୋ: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବୟସାଧିକ କାରଣରୁ ସେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । କହିଛନ୍ତି, ବର୍ତମାନ ତାଙ୍କୁ ୮୩ବର୍ଷ ହୋଇଥିବାବେଳେ ଆସନ୍ତାବର୍ଷ ତାଙ୍କୁ ୮୪ବର୍ଷ ହେବ । ତେଣୁ ଯଦି ସେ ନିର୍ବାଚନ ଲଢ଼ିବେ, ତେବେ ଜନତାଙ୍କୁ ଉଚିତ୍ ନ୍ୟାୟ ଦେଇପାରିବେ ନାହିଁ । ତା’ଛଡା ବୟସ ବଢ଼ିବା ସହ ଆବଶ୍ୟକ ଅନୁସାରେ କାମ ବି କରିପାରିବେ ନାହିଁ । ଯଦି ଲୋକ ପ୍ରତିନିଧି ହୋଇ କାମ କରିନପାରିବେ, ତେବେ କିଛି ଲାଭ ନାହିଁ । ସେଥିପାଇଁ ୨୦୨୪ରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଛନ୍ତି ।

Advertisment

ଅନେକ ସମୟରେ ଦେଖାଯାଏ, ବହୁ ପୁରୁଖା ନେତା, ଯୁବ ବର୍ଗଙ୍କୁ ରାଜନୀତିରେ ଆଗକୁ ବଢ଼ିବା ପାଇଁ ବାଟ ଛାଡି ନଥାନ୍ତି । ସେମାନେ ଲଢ଼ି ଆସୁଥିବା ଆସନରୁ ପୁଣି ଲଢ଼ିବା ପାଇଁ ଆଶା ରଖିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ନୂଆ, ପୁରୁଣା ନେତାଙ୍କ ଭିତରେ ବିବାଦ ହୁଏ । ତେବେ ଜଣେ ରାଜନେତା କେତେ ବୟସ ପରେ ନିର୍ବାଚନ ଲଢ଼ିବା ଉଚିତ ନୁହେଁ ସେ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର । କହିଛନ୍ତି, ୭୫ ବର୍ଷ ପରେ ଆଉ କେହି ନିର୍ବାଚନ ଲଢ଼ିବା ଉଚିତ୍ ନୁହେଁ । ନିଜ ଆଡୁ ନିର୍ବାଚନ ନିର୍ବାଚନଠାରୁ ଦୂରେଇ ଯିବା ଉଚିତ୍ ।

ପୂର୍ବରୁ ନରସିଂହ କହିଥିଲେ, ୭୦ବର୍ଷ ପରେ ଜଣେ ଲୋକ ନିର୍ବାଚନ ଲଢ଼ିବା ଠିକ୍ ନୁହେଁ । କିନ୍ତୁ ଲୋକଙ୍କ ହାରାହାରି ଆୟୁ ବଢ଼ୁଥିବାରୁ ଏବେ ୭୫ ବର୍ଷ ପରେ ନଲଢ଼ିବା ଉଚିତ୍ ବୋଲି କହିଛନ୍ତି ନରସିଂହ ।

ତେବେ ୨୦୧୯ରେ ମଧ୍ୟ ନରସିଂହ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚିନ୍ତା କରିଥିଲେ । କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଜନତା ଓ ଦଳ ବାଧ୍ୟ କରିବାରୁ ,୨୦୧୯ରେ ସେ ଲଢ଼ିଥିଲେ ବୋଲି କହିଛନ୍ତି । କିନ୍ତୁ ୨୦୨୪ରେ ଯଦି ତାଙ୍କୁ ନିର୍ବାଚନ ଲଢ଼ିବାକୁ ବାଧ୍ୟ କରାଯାଏ, ତେବେ ଦଳ ଛାଡ଼ିବାକୁ ସେ ବାଧ୍ୟ ହେବେ ବୋଲି କହିଛନ୍ତି ।