ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ: ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

ଚାକିରୀ କାଳରେ ନେଇଥିବା ସମସ୍ତ ଦରମା ଫେରାଇବାକୁ ନିର୍ଦ୍ଦେଶ । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ସାମ୍ନାକୁ ଆସିଲା ୨୪ ବର୍ଷ ତଳର ଜାଲିଆତି

171

କନକ ବ୍ୟୁରୋ: ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀରୁ ନିଲମ୍ବିତ ହେଲେ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା । ମାଲକାନାକିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଥିଲେ ଲକ୍ଷ୍ମୀପ୍ରିୟା । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଂଚ ଚାଲିଥିବା ବେଳେ ଜିଲ୍ଲାରେ ଏଭଳି ଆହୁରି କିଛି ଜଣ ଜାଲ କାଗଜପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲାର ମୂଳ ବାସିନ୍ଦା ଲକ୍ଷ୍ମପ୍ରିୟା ବେହେରା ୧୯୯୬ ମସିହାରେ ମାଲକାନାଗିରିରେ କିରାଣି ଭାବେ ଚାକିରୀ କରିଥିଲେ । ସମୟ କ୍ରମେ ଦରମା ବୃଦ୍ଧି ସହ ପଦନ୍ନୋତି ମଧ୍ୟ ମିଳିଥିଲା । ତେବେ ନିଯୁକ୍ତି ସମୟରେ ସେ ଦେଇଥିବା ଜାତି ପ୍ରମାଣପତ୍ରକୁ ସନ୍ଦେହ କରି ଜଣେ ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଲକ୍ଷ୍ମୀପ୍ରିୟା ଏସିବିସି ବର୍ଗର ହୋଇଥିବା ବେଳେ ଜଣେ ଆଦିବାସୀଙ୍କୁ ବିବାହ କରିଛନ୍ତି । ବିବାହ ପରେ ନିଜ ପ୍ରକୃତ ଜାତିକୁ ଲୁଚାଇ ସେ ତାଙ୍କ ସ୍ୱାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ ।

ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଂଚରେ ତାଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ପ୍ରମାଣପତ୍ର ଦେଖାଇ ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ । ଏନେଇ ମାଲକାନାଗିରି ଜିଲ୍ଲାପାଳ ଜାଣିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ବହିଷ୍କୃତ କରିଛନ୍ତି । ଏଥିସହ ଚାକିରୀ କାଳରେ ସେ ଦରମା ବାବଦରେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍କାଳୀନ ଜୁନାଗଡ଼ ତହସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କଲେ ତାହାର ତଦନ୍ତ କରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି ।