ସୂର୍ଯ୍ୟଙ୍କୁ ଦାମଙ୍କ କଟାକ୍ଷ ! କହିଲେ, ନବୀନ ପ୍ରଧାନମନ୍ତ୍ରୀ ହେଲେ, ସୂର୍ଯ୍ୟ ପାତ୍ର ହେବେ ପେଟ୍ରୋଲିୟମ ମନ୍ତ୍ରୀ ।

830

କନକ ବ୍ୟୁରୋ: ପୁଣି ଦାମଙ୍କ ନିଶାନାରେ ସୂର୍ଯ୍ୟ ପାତ୍ର । ୨୩ ପରୀକ୍ଷା ଫଳ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଯୋଗ୍ୟ ସେନେଇ ଗତକାଲି ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ କି ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ବାବୁ ପୁରା ଯୋଗ୍ୟ ପ୍ରାର୍ଥୀ । ଆଉ ଏହାପରେ ରାଜନୀତି ତେଜିବାରେ ଲାଗିଛି । ବିଜେପି ବରିଷ୍ଠ ନେତା ଦାମ ରାଉତ ସୂର୍ଯ୍ୟଙ୍କୁ ନିଶାନାରେ ନେଇ କଟାକ୍ଷ କରିଛନ୍ତି ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବରିଷ୍ଠ ବିଜେପି ନେତା ଦାମ ରାଉତ କହିଛନ୍ତି କି, ନବୀନ ବାବୁ ପ୍ରଧାନମନ୍ତ୍ରୀ ହେଲେ ସୂର୍ଯ୍ୟ ପାତ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହେବେ ବୋଲି ଭାବୁଛନ୍ତି । ଆଉ ସେ ପେଟ୍ରୋଲିୟମ ମନ୍ତ୍ରୀ ହେଲେ ପାରାଦୀପ ତୈଳ ବିଶୋଧନାଗାରରୁ ଅନେକ ପଇସା ପାଇବେ ଆଉ ଓଡ଼ିଶାର ଭାଗ୍ୟ ଉଜ୍ଜ୍ୱଳ କରିବେ ବୋଲି କହି କଟାକ୍ଷ କରିଛନ୍ତି ଦାମ । ଏପରିକି ସୂର୍ଯ୍ୟଙ୍କୁ ଇତିହାସ ବିଷୟରେ ଜଣାନାହିଁ ବୋଲି କହିଛନ୍ତି ଦାମ ରାଉତ । କାରଣ ଯେତେବେଳେ ବିଜୁ ବାବୁଙ୍କୁ କେନ୍ଦ୍ରୀୟ ରାଜନୀତିରେ ତିଷ୍ଠିବାକୁ ବିରୋଧ କରାଗଲା ସେଠି ୨୧ଟି ଲୋକସଭା ଆସନ ବିଶିଷ୍ଟ ଓଡ଼ିଶାର ନେତାଙ୍କୁ କିଭଳି ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ଦେବେ ବିରୋଧୀ ବୋଲି ପ୍ରଶ୍ନ କରିଛନ୍ତି ଦାମ । ଗତ ନିର୍ବାଚନରେ ୨୧ରୁ ୨୦ଟି ଲୋକସଭା ଆସନ ଜିତିଥିବା ବିଜେଡି ମୁଖିଆ ନବୀନ ବାବୁ ବିଗତ ୫ ବର୍ଷ ହେବ ସମଦୂରତା ଗୁଣଗାନ କରୁଥିଲେ କିନ୍ତୁ ଏବେ ସେହି ସ୍ୱର ବଦଳି ଗଲାଣି ବୋଲି କହି ସମାଲୋଚନା କରିଛନ୍ତି ଦାମ ରାଉତ ।

ସେପଟେ ୨୩ ତାରିଖରେ ଆସିବ ୧୯ ମହାଯୁଦ୍ଧର ଫଳାଫଳ । କିଏ କେଉଁଠି ନିଜର ପତିଆରା ବିସ୍ତାର କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଆଉ କେନ୍ଦ୍ରରେ କିଏ କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ପଦରେ ବସିବ ତାହାର ଚିତ୍ର ସାମ୍ନାକୁ ଆସିବ । ହେଲେ ଗଣତନ୍ତ୍ର ମହାପରୀକ୍ଷାର ଫଳାଫଳ ପୂର୍ବରୁ ପ୍ରଧାମନ୍ତ୍ରୀ ପଦ ପାଇଁ କିଏ ଫିଟ୍ ଆଉ କିଏ ଅନଫିଟ୍ ତାକୁ ନେଇ ରାଜ୍ୟରୁ ଆରମ୍ଭ କରି କେନ୍ଦ୍ରୀୟ ରାଜନୀତି ପର୍ଯ୍ୟନ୍ତ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଆଉ ଏତିକି ବେଳେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରକୃତରେ କିଏ ଫିଟ୍ ବୋଲି ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଛାଡ଼ିଥିବା ଗୁଗୁଲୀ ଧିରେ ଧିରେ ରାଜନୈତିକ ମହଲକୁ ଉଷ୍ମ କରିବାରେ ଲାଗିଛି ।