ହାଥରସ ମାମଲାରେ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଏଭଳି ଟିପ୍ପଣୀ ଦେଲେ ମାୟାବତୀ : ଉତ୍ତରପ୍ରଦେଶରେ ଦିନକୁ ଦିନ ଦଙ୍ଗା ରାହାଜାନୀ, ଲୁଟ୍ ଭଳି ମାମଲା ବଢିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ବୋଲି ଉଠାଇଲେ ପ୍ରଶ୍ନ

1,178

କନକ ବ୍ୟୁରୋ : ବିଏସପି ମୁଖ୍ୟ ମାୟାବତୀ ଗୁରୁବାର ଦିନ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ହାଥରସ୍ ଓ ବଳରାମପୁରରେ ଯେଭଳି ଭାବେ ଦୁଇ ବାଳିକାଙ୍କୁ ଗଣଧର୍ଷଣ ପରେ ହତ୍ୟା କରାଗଲା ତାକୁ ନେଇ ସେ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନର ପାହାଡ ଠିଆ କରିଛନ୍ତି । ଏହି ଘଟଣା ଏକ ଦୁଖଃଦ ଘଟଣା ଓ ସରକାରଙ୍କ ଅପାରଗତା ବୋଲି କହିଛନ୍ତି ମାୟାବତୀ । ଏହା ସହ ସେ ଯୋଗୀଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ଯଦି ସରକାର ଚଳାଇବା ଜାଣିନାହଁ ତେବେ ଯେଉଁ ମଠରୁ ଆସିଥିଲ ସେଠାକୁ ପଳାଅ । ଅନ୍ୟପଟେ ସେ କେନ୍ଦ୍ର ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି କି ଯୋଗୀଙ୍କୁ ହଠାଇ ସେଠାରେ ଜଣେ ଯୋଗ୍ୟ ନେତାଙ୍କୁ ଅବସ୍ଥାପିତ କରାଯାଉ ।

ଖାଲି ଏତିକି ନୁହେଁ ମାୟାବତୀ ଆହୁରି କହିଛନ୍ତି କି ବିଜେପି ସଂଘ ପରିବାରର ଚାପରେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ହେଲେ ବର୍ତମାନ ଯାହା ପରିଲକ୍ଷିତ ହେଉଛି ଯୋଗୀ ରାଜ୍ୟ ଚଳାଇବାରେ ସକ୍ଷମ ନୁହନ୍ତି । ଯୋଗୀ କ୍ଷମତାକୁ ଆସିବା ପରେ ଉତ୍ତରପ୍ରଦେଶର ମହିଳା ମାନେ ସମ୍ପୁର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି । ଦୈନିକ ରାଜ୍ୟରେ ଗଣଦୁଷ୍କର୍ମ ଓ ହତ୍ୟାଭଳି ଅଭିଯୋଗ ରାଜ୍ୟର ସମ୍ମାନକୁ ଦେଶରେ ଖରାପ କରିବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ତର୍ଜମା କରିବା ଉଚିତ ଓ ଯୋଗୀଙ୍କୁ ଯଥାଶୀଘ୍ର ସମ୍ଭବ ମଠକୁ ପଠାଇ ଦିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି । 

ଲକ୍ଷ୍ନୌର ଏକ ସାମ୍ବାଦିକ ସମ୍ମିଳନୀ କରି ମାୟାବତୀ କହିଛନ୍ତି କି ହାଥରସ୍ ଓ ବଳରାମପୁର  ଘଟଣା ସରକାରଙ୍କ ମୁଖା ଖୋଲିଦେଇଛି । ହାଥରସ୍ ଘଟଣାର ନିଆଁ ସାରା ଦେଶକୁ ବ୍ୟାପୁଥିବା ବେଳେ ବଳରାମପୁର ଠାରେ ପୁଣି ସମାନ ଘଟଣାର ପୁନରାବୃତି ଦେଖିବାକୁ ମିଳିଛି । ସେଠାରେ ବି ଗଣ ଦୁଷ୍କର୍ମେରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ଝିଅଟି ଦଳିତ ସଂପ୍ରଦାୟର । ଏଭଳି ଗୋଟିଏ ପରେ ଗୋଟିଏ ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଉତ୍ତରପ୍ରଦେଶର ଚେହେରାକୁ ଖରାପ କରୁଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମାୟାବତୀ କହିଛନ୍ତି କି ହାଥରସ୍ ଘଟଣାରେ ପୋଲିସ ଯେଭଳି ଭାବେ ମୃତ ବାଳିକାର ଶବକୁ ତା ପରିବାର ଠାରୁ ଛଡାଇ ନେଇ ତୁରନ୍ତ ସଂସ୍କାର କରିଦେଲା ତାହା ପୋଲିସର ଗୁଣ୍ଡାରାଜ ବୋଲି ଭାବି ନେବାକୁ ହେବ । 

ଗୋଟିଏ ପଟେ ସରକାର ସ୍ୱଚ୍ଛ ଶାସନ ର ଡିଡିଂମ ପିଟୁଛନ୍ତି । ବିଭିନ୍ନ ସମସ୍ୟା ଉପରେ ପ୍ରତିବାଦ ଓ ବିକ୍ଷୋଭ କରୁଥିବା ଲୋକଙ୍କ ସଂପତି ଜବତ୍ କରୁଛନ୍ତି, ଗୋରୁ ଚାଲାଣକାରୀ ଓ ଗୋମାଂସ ବେପାରୀଙ୍କୁ ଧରି ଜେଲରେ ପୁରାଉଛନ୍ତି । ହେଲେ ଗଣଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ କରୁଥିବା ଅପରାଧୀ ମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ  କରୁଛନ୍ତି ।