କନକ ବ୍ୟୁରୋ : ଭାରତ ସେହି ଦେଶ ଯିଏ ସବୁବେଳେ ମାଳଦ୍ୱୀପ ପାଇଁ ବିପଦ ବେଳର ସାଥୀ ହୋଇ ଛିଡ଼ା ହୋଇଥାଏ । କିନ୍ତୁ ଗୋଟିଏ ବିବାଦୀୟ ପୋଷ୍ଟ ସବୁକିଛି ଓଲଟପାଲଟ କରିଦେଲା । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ବୟକଟ କରିବା ପରେ ଏବେ ଚୀନର ସାହାରା ନେଇଛି ମାଳଦ୍ୱୀପ । ଚୀନ ଗସ୍ତରେ ଥିବା ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡ୍ରାଗନକୁ ଆକୁଳ ନିବେଦନ କରିଛନ୍ତି । ମାଳଦ୍ୱୀପକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ସେ ସି ଜିନପିଙ୍ଗଙ୍କ ଦେଶକୁ ଅନୁରୋଧ କରିଛନ୍ତି ।

Advertisment

ମଙ୍ଗଳବାର ଚୀନର ଫୁଜିଆନ ପ୍ରାନ୍ତରେ ମାଳଦ୍ୱୀପ ବିଜନେସ୍ ଫୋରମକୁ ସମ୍ବୋଧିତ କରି ମୁଇଜୁ ଚୀନକୁ ଏହି ଦ୍ୱୀପ ରାଷ୍ଟ୍ରର ନିକଟତମ ସହଯୋଗୀ ବୋଲି କହିଛନ୍ତି । ନିଜ ଅଭିଭାଷଣରେ ସେ ୨୦୧୪ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି । କୋଭିଡ୍ ପୂର୍ବରୁ ଚୀନ୍ ଆମର (ମାଳଦ୍ୱୀପ)ର ଏକ ନମ୍ବର ବଜାର ଥିଲା ଏବଂ ମୁଁ ଅନୁରୋଧ କରୁଛି ଯେ ଆମେ ଚୀନକୁ ଏହି ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି ।

ସେପଟେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଦେଶିକ ନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପଡ଼ୋଶୀ ଦେଶ ସହ ସକାରାତ୍ମକ ଆନ୍ତର୍ଜାତିକ ସମ୍ପର୍କ ବଜାୟ ରଖିବା ଉପରେ ଖଡଗେ ଗୁରୁତ୍ୱାରୋପ କରିଛନ୍ତି । ଏପଟେ ବିରୋଧୀଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପର ଫଟୋ ଏବଂ ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଟୁଇଟ୍ ଆସିବା ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ।

ଏଭଳି ପରିସ୍ଥିତିରେ ଭାରତର କଠୋର ଆଭିମୁଖ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିଛି ମାଳଦ୍ୱୀପ । ଆଉ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ନେଇ ବିରୋଧୀ ସାଂସଦମାନେ ଆକ୍ରମଣ ବଢ଼ାଇଛନ୍ତି । ରାଷ୍ଟ୍ରପତି ମୁଇଜୁଙ୍କୁ କ୍ଷମତାରୁ ହଟାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିବା ସହ ସର୍ବବୃହତ୍ ବିରୋଧୀ ଦଳ ଏମଡିପିକୁ ଅନାସ୍ଥା ଭୋଟ ଆରମ୍ଭ କରିବାକୁ ବିରୋଧୀ କହିଛନ୍ତି ।