ମହାରାଷ୍ଟ୍ର ମହାନାଟକର ନାଟକୀୟ ଅନ୍ତ ସମ୍ଭାବନା। ଶିବସେନା ସହ ମିଳିତ ସରକାର ଗଠନ କରିବାକୁ ଏନସିପି ଓ କଂଗ୍ରେସ ରାଜି

ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ରଖିବେ ଦାବି

183

କନକ ବ୍ୟୁରୋ: ମହାରାଷ୍ଟ୍ର ମହାନାଟକରେ ଏକ ନିଆରା ଅନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର ନିର୍ବାଚିତ ଦଳ ନିର୍ଧାରିତ ସମୟ ମଧ୍ୟରେ ସରକାର ଗଠନ କରି ନପାରିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏପଟେ ଏକ ନିଆରା ମେଂଟ ଏକ ପ୍ରକାର ଚୂଡାନ୍ତ ହୋଇଛି । ଶିବସେନା ସହ ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବେ । ଭିନ୍ନ ଭିନ୍ନ ବିଚାରଧାରର ଦଳ ମିଳିତ ଭାବେ ସରକାର ଗଠନ କରିବା ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତିନି ଦଳ ପ୍ରମୁଖ ନେତା ଶୁକ୍ରବାର ଏକାଠି ବସି ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତ କରିଛନ୍ତି । ସହମତି ଭିତିରେ ସିଏମପି – କମନ ମିନିମମ୍ ପ୍ରୋଗ୍ରାମ ସ୍ଥିର କରାଯାଇଛି । ଏହି ମେଂଟ ସରକାର ରାଜ୍ୟରେ ୫ ବର୍ଷ ସ୍ଥିର ସରକାର ଦେବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ।

ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ସହ ଅନ୍ୟ ଦୁଇ ଦଳରୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି । ଆଜି ଅପରାହ୍ନ ୪ଟାରେ ତିନି ଦଳର ପ୍ରତିନିଧି ଦଳ ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆସନ୍ତାକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶରଦ ପାୱାର ଭେଟି ପରବର୍ତୀ କାର୍ଯ୍ୟପନ୍ଥା ଚୂଡାନ୍ତ କରିବା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଏନସିପି ଓ କଂଗ୍ରେସ କହୁଥିବା ବେଳେ କିଛି ଦଳୀୟ ନେତା ମଧ୍ୟ ଏହା ଚାହୁଛନ୍ତି । ଆସନ୍ତାକାଲି ବାଲାସାହେବ ଠାକରେଙ୍କ ଶ୍ରାଦ୍ଧ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଶିବସେନା ଘୋଷଣା କରିବ ବୋଲି ସୂଚନା ମିଳିଛି ।