ଫେସବୁକ ଲାଇଭରେ ଫୁଟିଲା ଗୁଳି । ଶିବସେନା ନେତା ଅଭିଷେକ ଘୋସାଲାକରଙ୍କୁ ହତ୍ୟା କରି ଅଭିଯୁକ୍ତର ଆତ୍ମହତ୍ୟା

497

କନକ ବ୍ୟୁରୋ : ପ୍ରଥମେ ଶତ୍ରୁତା ପରେ ବନ୍ଧୁତା ଆଉ ଶେଷରେ ଫେସବୁକ ଲାଇଭରେ ଆସି ପ୍ରତିପକ୍ଷଙ୍କୁ ଗୁଳି କରି ହତ୍ୟା । ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ଲାଇଭ ଭିଡ଼ିଓରେ ହତ୍ୟା ଘଟଣା ସାରା ମହାରାଷ୍ଟ୍ରରେ ଚାଂଚଲ୍ୟ ଖେଳାଇ ଦେଇଛି । ପୂର୍ବତନ କାଉନସିଲର ଅଭିଷେକ ଘୋସାଲକର ଫେସବୁକ ଲାଇଭରେ ଥିବା ବେଳେ ମୋରିସ ନୋରିହ୍ନା ନାମକ ବ୍ୟକ୍ତି ଗୁଳି କରି ହତ୍ୟା କରିଛି । ଉଭୟ ଫେସବୁକରେ ଲାଇଭ ଆସିବା ସହିତ ନିଜ ନିଜର ପରିଚୟ ଦେଇଥିଲେ, ପରେ ହଠାତ ଅଭିଷେକ ଘୋସାଲକରଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲା ମୋରିସ । ଗୁରୁତର ଅବସ୍ଥାରେ ଅଭିଷେକଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଗୁଳିକାଣ୍ଡ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ମହାରାଷ୍ଟ୍ର ସମେତ ସାରା ଦେଶରେ ଚାଂଚଲ୍ୟ ଖେଳାଇଦେଇଛି । ମୁମ୍ବାଇ ପୋଲିସର କ୍ରାଇମବ୍ରାଂଚ ସେଲ ଘଟଣା ତଦନ୍ତ ଆରମ୍ଭ କରିବା ସହିତ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ଆରମ୍ଭ କରିଛି ।

ପୂର୍ବ ଶତ୍ରୁତା କାରଣରୁ ଅଭିଯୁକ୍ତ ମୋରିସ ଅଭିଷେକ ଘୋସାଲକରଙ୍କୁ ହତ୍ୟା କରିଥିବା ଜଣାପଡିଛି । ଗତବର୍ଷ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା । ଅଭିଷେକ ଘୋସାଲକର ଏନେଇ ମାମଲା ଦାୟର କରିଥିବା ବେଳେ ମୋରିସକୁ ଗିରଫ କରିଥିଲା ପୋଲିସ । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିବା ବେଳେ ମଧ୍ୟ ପ୍ରତିଶୋଧ ନିଆଁରେ ଜଳୁଥିବା ମୋରିସ ଶେଷରେ ଅଭିଷେକଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି । ହତ୍ୟା ଘଟଣାକୁ ନେଇ ସିନ୍ଦେ ସରକାର ଉପରେ ସିଧା ସିଧା ହମଲା କରିଛି ଉଦ୍ଧବ ଗୋଷ୍ଠୀ ଶିବସେନା । ମହାରାଷ୍ଟ୍ରରେ ଗୁଣ୍ଡାରାଜ ଚାଲିଛି, ଆଇନଶୃଙ୍ଖଳା ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ କରାଯାଇଛି । ସେପଟେ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ କହିଛନ୍ତି ।

କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଗଣପତି ଗାଇକୱାଡ ମଧ୍ୟ ଜେଣ ଶିବନେତା ନେତାଙ୍କ ଉପରେ ଗୁଳିମାଡ଼ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣା ପରେ ବିଧାୟକଙ୍କ ସମେତ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ ।