କାନ୍ଦୁଛି କ୍ରିକେଟ ଜଗତ । ଦୁଇ ମାସରେ ଦୁଇ ମହାନ କିମ୍ବଦନ୍ତୀ ତାରକାଙ୍କୁ ହରାଇଲା ଅଷ୍ଟ୍ରେଲିଆ କ୍ରିକେଟ ଜଗତ । ସବୁଠି ସ୍ତବ୍ଧ, ବତୁରା ବାତାବରଣ…

424

କନକ ବ୍ୟୁରୋ: ଅଷ୍ଟ୍ରେଲିଆ କ୍ରିକେଟ ଆକାଶରେ ଦୁଃଖର କଳାବାଦଲ । ଦୁଇ ମାସ ଭିତରେ କ୍ରିକେଟ ଜଗତ ହରାଇଲା ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ । ଏହା ସହ ସାରା କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ଯେତେବେଳେ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗର ଖବର ବିଜୁଳି ପରି ସବୁଆଡେ ବ୍ୟାପୀଯାଇଛି । ଗତ ଦୁଇ ମାସ ତଳେ ଅର୍ଥାତ ମାର୍ଚ୍ଚ ୪ ତାରିଖରେ ମହାନ ଲେଗ୍ ସ୍ପିନର ସେନ ୱାର୍ଣ୍ଣଙ୍କର ପରଲୋକ ହୋଇଥିଲା । ହୃଦଘାତରେ ପ୍ରାଣ ହରାଇଥିଲେ ସେନ୍ ୱାର୍ଣ୍ଣ । ୫୨ ବର୍ଷ ବୟସରେ ଆଖି ବୁଜିଥିଲେ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ । ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୩,୧୫୪ ରନ କରିଥିଲେ । ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୧୦୧୮ ରନ କରିଥିଲେ । ସେ ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି ।

ଆଉ ଆଜି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଦେହାନ୍ତ ହୋଇଛି । ଏକ ସଡ଼କ ଦୁର୍ଘଟଣାରେ ସାଇମଣ୍ଡସଙ୍କ ଆଖିବୁଜିଛନ୍ତି । ସାଇମଣ୍ଡସଙ୍କ କାର କୁଇନ୍ସଲାଣ୍ଡର ଟାଉନ୍ସଭିଲେ ପାଖରେ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ୍ ସୂଚନା ଦେଇଛି । କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସାଇମଣ୍ଡସଙ୍କ କାର ଓଲଟି ପଡ଼ିଥିଲା । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାଇମଣ୍ଡସଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ, କିନ୍ତୁ ଗଭୀର ଆଭ୍ୟନ୍ତରୀଣ ଆଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ସାଇମଣ୍ଡସଙ୍କ ମୃତ୍ୟୁ ଅଷ୍ଟ୍ରେଲିଆ ସମେତ ପୂରା କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି । ସାଇମଣ୍ଡସ୍ ଅଷ୍ଟ୍ରେଲିଆ ପକ୍ଷରୁ ଦୁଇଥର ବିଶ୍ୱକପ୍ ଖେଳିଛନ୍ତି ଏବଂ ଦୁଇଥର ଯାକ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା । ସେ ୨୦୦୯ରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ଜାତୀୟ ଦଳ ପକ୍ଷରୁ ସାଇମଣ୍ଡସ୍ ୨୬ ଟେଷ୍ଟ, ୧୯୮ ଦିନିକିଆ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

ତେବେ ଦୁଇ ଖେଳାଳୀଙ୍କ ଯୋଡି ବେସ ଚର୍ଚ୍ଚିତ ଥିଲା । ଆଉ ଏବେ ସେମାନଙ୍କ ଆବର୍ତ୍ତମାନରେ ସେମାନଙ୍କୁ ଝୁରୁଛନ୍ତି ସମସ୍ତେ । ସୋସିଆଲ ମିଡିଆରେ ସେମାନଙ୍କର ପଡିଆରେ ବିତିଥିବା ଦିନର ସ୍ମୃତିଭିଜା ଫଟୋ ଭାଇରାଲ ହେଉଛି ।