କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ପଚରାଉଚରା ଶେଷ । ଉତରପ୍ରଦେଶ ଏଟିଏସ୍ ପଚରା ଉଚରା କରି ସରକାରକୁ ରିପୋର୍ଟ ଦେଇଛି । ସୀମା ଜଣେ ଗୁପ୍ତଚର ବୋଲି ଯେଉଁ ଅଭିଯୋଗ ହେଉଛି ସେ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ୟୁପି ଏଟିଏସକୁ ସୂଚନା ମିଳି ନାହିଁ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏବେ ଏଟିଏସ ୟୁପି ସରକାର ସହ ଦେଶର ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ରିପୋର୍ଟ ହସ୍ତାନ୍ତର କରିଛି । ସୀମା ହାଇଦରଙ୍କୁ ଏବେ ନିଜ ଦେଶକୁ ପଠାଇବାକୁ ସମୟ ଲାଗିପାରେ ।

Advertisment

ବୈଦେଶିକ ଅଧିନିୟମ ଅନୁଯାୟୀ ସୀମା ହାଇଦାରଙ୍କ ବିରୋଧରେ ଦାଖଲ ହୋଇଛି ଏଫଆଇଆର । ତେବେ ପଚରାଉଚରା ପରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇପାରିବ କି ନାହିଁ ତାହା ଜାତୀୟ ସୁରକ୍ଷା ସହ ଜଡିତ ଏକ ସମ୍ବେଦନଶୀଳ ପ୍ରଶ୍ନର ଫଳାଫଳ ଉପରେ ନିର୍ଭର କରିବ । ବୈଦେଶିକ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାର ସ୍ଥାନୀୟ ପୋଲିସ ପୃଥକ ଭାବରେ ତଦନ୍ତ କରୁଛି ଏବଂ ଏପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ କରି ନାହିଁ । ଆଇବିର ତଦନ୍ତରେ ଏକଥାର ମଧ୍ୟ ଜଣା ପଡ଼ିଛି ଯେ ମେ ୧୩ରେ ପାକିସ୍ତାନରୁ କୌଣସି ବ୍ୟକ୍ତି ନେପାଳ ଦେଇ ଭାରତ ଆସିଥିବା ରେକର୍ଡରେ ନାହିଁ । ତେଣୁ ଏଠି ସହେନ୍ଦ ସୃଷ୍ଟି ହେଉଛି ସୀମା ମେ ୧୩ରେ କିଭଳି ଭାରତକୁ ଆସିଥିବା ଦାବି କରୁଛନ୍ତି । ତେଣୁ ନେପାଳ ସୀମାରେ ଥିବା ସିସିଟିଭି ଫୁଟେଜକୁ ଖୋଳତାଡ କରାଯାଉଛି ।

ସୀମାଙ୍କ ସତ କ’ଣ ଏହା ଜାଣିବା ପାଇଁ ମଲଟି ଟାକ୍ସିଂ ଟିମ ଗଠନ କରାଯାଇଛି । ଯେଉଁଥିରେ ଆଇବି, କଷ୍ଟମ, ଇମିଗ୍ରେସନ,ସଶସ୍ତ୍ର ସୀମା ସୁରକ୍ଷାବଳ, ଫରେଷ୍ଟ ଡିପାର୍ଟମେଂଟ, ଉତରପ୍ରଦେଶ ପୋଲିସ ସାମିଲ ଅଛନ୍ତି । ସବୁଠୁ ବଡ କଥା ହେଉଛି ସୀମାଙ୍କ ଦାଦା ଓ ଭାଇ ପାକିସ୍ତାନ ସେନାରେ କାର୍ଯ୍ୟରତ । ସୀମାଙ୍କ ଦାଦା ସେନାରେ ଜଣେ ବଡ ଅଧିକାରୀ ଥିବାବେଳେ ଭାଇ କରାଚୀ ପୋଷ୍ଟରେ କାର୍ଯ୍ୟରତ ବୋଲି ଜଣାପଡିଛି । ତେଣୁ ସୀମା ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି । ସେପଟେ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ।