ଏପ୍ରିଲ ୧୮କୁ ଘୁଞ୍ଚିଲା ସମଲିଙ୍ଗୀ ବିବାହ ମାମଲା : ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

102

କନକ ବ୍ୟୁରୋ : ଭାରତରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିବ ନା ନାହିଁ, ସେ ନେଇ ଆସନ୍ତା ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲେଖ କରିଥିଲେ ଯେ ସମଲିଙ୍ଗୀ ବିବାହକୁ ପାରିବାରିକ ବ୍ୟବସ୍ଥାର ବିରୋଧୀ । ସୋମବାର ଏହି ମାମଲାର ଶୁଶାଣି ପାଇଁ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହ ସମ୍ପର୍କିତ ଆବେଦନକୁ ସାମ୍ବିଧାନିକ ବେଞ୍ଚକୁ ପଠାଇ ଦେଇଛନ୍ତି । ବଡ଼ କଥା ହେଲା ଏପ୍ରିଲ ୧୮ ତାରିଖରେ ହେବାକୁଥିବା ଶୁଣାଣିର ସିଧାପ୍ରସାରଣ ୱେବସାଇଟ୍ ଓ ୟୁଟ୍ୟୁବରେ ହେବ । ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି ୩ଜଣିଆ ଖଣ୍ଡପୀଠ କରୁଥିଲେ । କିନ୍ତୁ ଏବେ ଏହାର ଶୁଣାଣି ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ । ସେପଟେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, କେନ୍ଦ୍ର ସରକାର କାହାର ବ୍ୟକ୍ତିଗତ ସ୍ୱାଧୀନତା ଓ ନାଗରିକଙ୍କ ପସନ୍ଦର ବିରୋଧୀ ନୁହନ୍ତି । ଯେହେତୁ ଏହି ମାମଲା ବିବାହ ସମ୍ପର୍କିତ, ସେଥିପାଇଁ ଏହା ଏକ ନୀତିଗତ ମାମଲା । ଆଉ ଏହାର ଚର୍ଚ୍ଚା ହେବା ଦରକାର ।