ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ମ୍ୟାଚ୍, ଆପଣଙ୍କ ମତରେ ଟିମ୍ ଇଣ୍ଡିଆ ହାସଲ କରିପାରିବ କି ଫାଇନାଲ ଟିକେଟ?

1,558

କନକ ବ୍ୟୁରୋ : ଆସନ୍ତାକାଲି ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିବ ଦମଦାର ମୁକାବିଲା । ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ହେବ ସୁପରହିଟ୍ ଲଢେଇ । ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଯାହା ଉପରେ ଏବେ ପୂରା ବିଶ୍ୱ କ୍ରିକେଟପ୍ରେମୀଙ୍କର ନଜର ରହିଛି । କାରଣ ଏହି ଏଲିମିନେଟର ମ୍ୟାଚରେ ଯିଏ ହାରିବ ସିଏ ଟାଇଟଲ ରେସରୁ ବାଦ୍ ପଡିବ ।

ଚଳିତ ବିଶ୍ୱକପରେ ଉଭୟ ଟିମ୍ ଅପରାଜେୟ ଭାବେ ସେମିଫାଇନାଲରେ ଏଣ୍ଟ୍ରି ମାରିଥିବାରୁ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ । ତେବେ ପାକିସ୍ତାନ ବିପକ୍ଷରେ ଭାରତର ପଲା ଭାରି ରହିବ । କାରଣ କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତର ମନୋବଳ ଦୃଢ ରହିଥିବା ବେଳେ ପାକିସ୍ତାନ ଦୁର୍ବଳ ଆଫିଗାନିସ୍ତାନକୁ ହରାଇ ସେମିଫାଇନାଲ ଟିକେଟ ହାତେଇଛି । ଏହାପୂର୍ବରୁ ଲିଗ ମ୍ୟାଚରେ ଶ୍ରୀଲଙ୍କା, ଜାପାନ ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି ମାରିଥିଲା ଟିମ୍ ଇଣ୍ଡିଆ । ସେହିଭଳି କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ଆଗରେ ମୁଣ୍ଡ ନୁଆଇଁଥିଲା କଙ୍ଗାରୁ ଦଳ । ତେଣୁ ଏହି ମ୍ୟାଚରେ ଭାରତ ଫେଭରିଟ ରହିଛି ।

ଯଦି ବିଶ୍ୱକପର ଇତିହାସ ଦେଖିବା ତେବେ ଭାରତ ବିପକ୍ଷରେ ପାକିସ୍ତାନର ପଲା ଭାରି ରହିଛି ।  ଉଭୟ ଦଳ ମଧ୍ୟରେ ୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ପାକିସ୍ତାନ ୫ଟିରେ ବାଜିମାତ୍ କରିଥିବା ବେଳେ ଭାରତ ଖାତାକୁ ଆସିଛି ୪ଟି ବିଜୟ । ସେହିଭଳି ନକଆଉଟ ପର୍ଯ୍ୟାୟରେ ମଧ୍ୟ ଇତିହାସ ପାକିସ୍ତାନ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୫ଟି ନକଆଉଟ ମ୍ୟାଚ୍ ଦେଖିବାକୁ ମିଳିଛି । ଯେଉଁଥିରେ ପାକିସ୍ତାନ ୩ଟିରେ ବିଜୟୀ ହୋଇଛି । ଏପରିକି ୨୦୦୬ ଫାଇନାଲ ମ୍ୟାଚରେ ଉଭୟ ଦଳ ଟାଇଟଲ ପାଇଁ ମୁହାଁମୁହିଁ ହୋଇଥିଲେ ମଧ୍ୟ ଏଥିରେ ବାଜି ମାରିଥିଲା ପାକିସ୍ତାନ । ସେହିଭଳି ଭାରତ ପାକିସ୍ତାନକୁ ୨ଥର ୨୦୧୨ ଓ ୨୦୧୮ରେ ବିଶ୍ୱକପ ଟାଇଟଲ ରେସରୁ ନକଆଉଟ କରିଛି । ୨୦୧୮ରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଭାରତ ୨୦୩ ରନର ବଡ ବ୍ୟବଧାନରେ ପାକିସ୍ତାନକୁ ମାତ୍ ଦେଇଥିଲା । ତେଣୁ ଏହି ମ୍ୟାଚରେ ମଧ୍ୟରେ ସମାନ ଲକ୍ଷ୍ୟ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଚଳିତ ବିଶ୍ୱକପରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଅଭିଯାନ ଆରମ୍ଭ କରିଛି । ବିଶ୍ୱକପ ଇତିହାସରେ ଭାରତ ସର୍ବାଧିକ ୪ଥର ଟାଇଟଲ ଜିତିଥିବା ବେଳେ ପାକିସ୍ତାନ ମାତ୍ର ୨ ଥର ଟାଇଟଲ ହାତେଇଛି । ଏହାଛଡା ବିଶ୍ୱକପରେ ଲଗାତାର ୧୦ଟି ମ୍ୟାଚ୍ ଜିତି ନୂଆ ରେକର୍ଡ କରିଛି ଟିମ୍ ଇଣ୍ଡିଆ । ୨୦୧୮ରେ ଭାରତ ୬ରୁ ୬ ମ୍ୟାଚ୍ ଜିତି ଅପରାଜେୟ ରହିବା ସହ ଟାଇଟଲ ହାତେଇଥିଲା । ସେହିଭଳି ୨୦୨୦ ବିଶ୍ୱକପରେ ଏଯାଏଁ ୪ରୁ ୪ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ବିଶ୍ୱକପରେ ଲଗାତାର ୯ଟି ମ୍ୟାଚ୍ ଜିତିବାର ରେକର୍ଡ ଭାଙ୍ଗିଛି ଭାରତ ।

ଯେହେତୁ କ୍ରିକେଟ ଅନିଶ୍ଚିତତାର ଖେଳ ତେଣୁ ଇତିହାସ କଣ ଥିଲା ତାହା ଉପରେ ହୁଏତ ୨ ଟିମର ଫୋକସ ରହିବ ନାହିଁ । ତେଣୁ ସେମିଫାଇନାଲ ମ୍ୟାଚ୍ ପାଇଁ ଦୁଇ ଦଳର ରଣନୀତି କିଭଳି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଉଭୟ ଦଳର ସବୁଠୁ ବଡ ଅସ୍ତ୍ର ହେଉଛି ବୋଲିଂ ବାହିନୀ । ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ଓ ରବି ବିଷ୍ଣୋୟୀ ଦମଦାର ଫର୍ମରେ ଥିବା ବେଳେ ପାକିସ୍ତାନର ଆବାସ ଆଫ୍ରିଦି ଓ ମହମ୍ମଦ ଅମୀର ଖାନ୍ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ସେହିଭଳି ବ୍ୟାଟିଂରେ ୩ ଅର୍ଦ୍ଧଶତକ ସହ ୨୦୭ ରନ୍ କରିଥିବା ଭାରତର ଯଶସ୍ୱୀ ଯଶୱାଲ ପାକିସ୍ତାନର ଚିନ୍ତାର କାରଣ ପାଲଟିପାରନ୍ତି । ଅନ୍ୟପଟେ ମାତ୍ର ୨ଟି ଇନିଂସରୁ ୧୧୦ ରନ୍ କରିଥିବା ପାକିସ୍ତାନର ମହମ୍ମଦ ହାରିସ ମଧ୍ୟ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି । ତେଣୁ ସେମିଫାଇନାଲ ମୁକାବିଲାରେ କିଏ ବାଜି ମାରିବ ଓ କିଏ ଟାଇଟଲ ରେସରୁ ବାଦ୍ ପଡିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।