‘ଫୋନି’ ପରେ ହିନସ୍ତା ହେଉଛନ୍ତି କଟକିଆ । ଇନଭର୍ଟର ସାଜିଛି ଏକମାତ୍ର ସାହାରା, ହେଲେ ଚାର୍ଜ ପାଇଁ ଦେବାକୁ ପଡୁଛି ୩୦୦ ଟଙ୍କା ।

206

କନକ ବ୍ୟୁରୋ : ଫୋନି ପରବର୍ତି ସମୟରେ ସିଲଭର ସିଟି କଟକର ଅବସ୍ଥା କହିଲେ ନସରେ । ବିଦ୍ୟୁତ ବିନା ବଡ ହିନସ୍ତା ହେଉଛନ୍ତି କଟକିଆ । ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଏବେ ଇନଭର୍ଟର ହିଁ ହୋଇଛି ଏକ ମାତ୍ର ସାହାରା । ହେଲେ ଇନଭର୍ଟର ଚାର୍ଜିଂ କରିବା ପାଇଁ ଥରକୁ ଦେବାକୁ ପଡୁଛି ୩୦୦ଟଙ୍କା । ଜେନେରେଟର ଭଡା ମଧ୍ୟ ୩ହଜାରକୁ ବୃଦ୍ଧି ପାଇଛି । ଯାହାକି ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଏବେ କଟକବାସୀ ଅପେକ୍ଷା କରିଛନ୍ତି କେବେ ସ୍ୱାଭାବିକ ହେବ ବିଦ୍ୟୁତ ସେବା ।

କଟକ ସହରର ଅବସ୍ଥା ନକହିଲେ ଭଲ । ରାଜରାସ୍ତାରେ ପଡିରହିଛି ବଡ ବଡ ବିଦ୍ୟୁତ ଖୁଂଟ । ସ୍ୱାଭାବିକ ହୋଇପାରୁନି ବିଦ୍ୟୁତ ସେବା । ବିନା ବିଦ୍ୟୁତରେ ବଢିଯାଇଛି କଟକିଆଙ୍କ ଦୁର୍ଦ୍ଦଶା । ଯାହା ପାଖରେ ଇନଭର୍ଟର ଅଛି ସେମାନେ ଏହାକୁ ଚାର୍ଜ କରି ରାତି ବିତାଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶହ ଶହ ସଂଖ୍ୟାରେ ଏପରି ଇନଭର୍ଟର ପ୍ରତିଦିନ ଚାର୍ଜ ହେଉଛି । ଆଉ ଗୋଟିଏ ଇନଭର୍ଟର ଚାର୍ଜ କରିବା ପାଇଁ ଦେବାକୁ ପଡୁଛି ୩୦୦ ଟଙ୍କା । ହେଲେ ଏଥିରେ ହେଉଥିବା କଳାବଜାରି ଲୋକଙ୍କ ସମସ୍ୟା ବଢାଇ ଦେଇଛି । ଏପରି ଅନେକ ଦୋକାନରେ ଚାଲିଛି ଇନଭର୍ଟର ଚାର୍ଜିଂ ।

ଗୋଟିଏ ଇନଭର୍ଟର ଚାର୍ଜ ହେବା ପାଇଁ ଲାଗୁଛି ୧୨ଘଂଟା ସମୟ । ଆଉ କାହା ଘରେ ଯଦି ରୋଗୀ ରହୁଛନ୍ତି ସେମାନଙ୍କୁ ଚାର୍ଜିଂରେ ଦିଆଯାଉଛି ପ୍ରାଥମିକତା । ରୋଜଗାର କି ଲାଭ ଉଦ୍ଦେଶ୍ୟରେ ନୁହେଁ, ବିପଦ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଦୋକାନ ମାଲିକ । ତେବେ କଳାବଜାରି ହେଉଥିବା କଥାକୁ ସେ ଅସ୍ୱିକାର କରିଛନ୍ତି ।

ଫୋନି ପରବର୍ତି ସମୟରେ ପୁନରୁଦ୍ଧାରରେ ବିଳମ୍ବକୁ ନେଇ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଛି । ବିଦ୍ୟୁତ ସେବା କେବେ ଠିକ ହେବ, କେବେ ସ୍ୱାଭାବିକ ହେବ, ଏହି ପ୍ରଶ୍ନ ଘାରିଛି କଟକିଆଙ୍କୁ । ଏହି ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ମଧ୍ୟ ମିଳୁନାହିଁ । ଟଙ୍କା ଯାଉ ପଛେ ଇନଭର୍ଟରରେ ଜୀବନ ବଂଚିବାକୁ ଚେଷ୍ଟା କରୁଛନ୍ତି ଲୋକେ ।